ଭୁବନେଶ୍ବର: ଆସନ୍ତା ଅଗଷ୍ଟ ୩ରୁ ୫ ତାରିଖ ପର୍ଯ୍ୟନ୍ତ ତିନି ଦିନିଆ ଓଡ଼ିଶା ଗସ୍ତରେ ଆସିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ସେ ଭୁବନେଶ୍ୱର, କଟକ ଏବଂ ବ୍ରହ୍ମପୁର ଗସ୍ତ କରିବା ସହ ଗଞ୍ଜାମ ଜିଲ୍ଲାର ତପ୍ତପାଣି ମଧ୍ୟ ଯିବେ । ରାଷ୍ଟ୍ରପତିଙ୍କ ଗସ୍ତକୁ ନେଇ ରାଷ୍ଟ୍ରପତି ଭବନ ପକ୍ଷରୁ ପ୍ରସ୍ତୁତ ଖସଡ଼ା କାର୍ଯ୍ୟସୂଚୀ ରାଜ୍ୟ ସରକାର ଓ ସମ୍ପୃକ୍ତ ବିଭାଗଗୁଡ଼ିକୁ ପଠାଯାଇଛି । କାର୍ଯ୍ୟସୂଚୀ ଅନୁସାରେ ଅଗଷ୍ଟ ୩ରେ ରାଷ୍ଟ୍ରପତି ଭୁବନେଶ୍ୱରରେ ପହଞ୍ଚିବା ପରେ ଲୋକ ଭବନରେ ରହି, ସେହିଦିନ ରାଷ୍ଟ୍ରପତି କଟକର ଜଗଦଗୁରୁ କୃପାଳୁ ବିଶ୍ୱବିଦ୍ୟାଳୟର ଉଦ୍‌ଘାଟନୀ ସମାରୋହରେ ମୁଖ୍ୟ ଅତିଥି ଭାବେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି । ଅଗଷ୍ଟ ୪ ସକାଳେ ରାଷ୍ଟ୍ରପତି ସ୍ୱତନ୍ତ୍ର ଟ୍ରେନ ଯୋଗେ ଭୁବନେଶ୍ୱରରୁ ବ୍ରହ୍ମପୁର ରେଳ ଷ୍ଟେସନରେ ପହଞ୍ଚି, ସେଠାରୁ ସଡ଼କ ପଥରେ ତପ୍ତପାଣି ଯାଇ ମା’ କନ୍ଧୁଣୀ ଦେବୀ ମନ୍ଦିର ଦର୍ଶନ କରିବେ । ଏହା ପରେ ଗୋପାଳପୁରସ୍ଥିତ ସେନାର ଏୟାର ଡିଫେନ୍ସ କଲେଜ କିମ୍ବା ଅନ୍ୟ କୌଣସି ନିର୍ଦ୍ଧାରିତ ସ୍ଥାନରେ ରାତ୍ରିଯାପନ କରିବେ । ଅଗଷ୍ଟ ୫ରେ ରାଷ୍ଟ୍ରପତି ଗୋପାଳପୁରରୁ ବ୍ରହ୍ମପୁର ରେଳ ଷ୍ଟେସନକୁ ଆସି ପୁଣି ସ୍ୱତନ୍ତ୍ର ଟ୍ରେନ୍‌ ଯୋଗେ ଭୁବନେଶ୍ୱର ଫେରିବେ । ସେଠାରୁ ବିମାନ ଯୋଗେ ନୂଆଦିଲ୍ଲୀ ଅଭିମୁଖେ ଯାତ୍ରା କରିବେ । ରାଷ୍ଟ୍ରପତିଙ୍କ ଗସ୍ତକୁ ଦୃଷ୍ଟିରେ ରଖି ଭୁବନେଶ୍ୱର, କଟକ ଓ ଗଞ୍ଜାମ ଜିଲ୍ଲା ପ୍ରଶାସନ, ପୋଲିସ, ରେଳବାଇ ଏବଂ ଅନ୍ୟାନ୍ୟ ସମ୍ପୃକ୍ତ ବିଭାଗକୁ ବିସ୍ତୃତ ପ୍ରସ୍ତୁତି ଆରମ୍ଭ କରିବାକୁ କୁହାଯାଇଛି । ସୁରକ୍ଷା ବ୍ୟବସ୍ଥା, ରେଳ ଷ୍ଟେସନ ଓ ଯାତ୍ରାପଥର ବ୍ୟବସ୍ଥା, ଚିକିତ୍ସା ସହାୟତା, ଭୋଜନ, ରାତ୍ରିଯାପନ, ମଞ୍ଚ, ପ୍ରୋଟୋକଲ ଏବଂ ଅନ୍ୟାନ୍ୟ ବ୍ୟବସ୍ଥା ସମ୍ପର୍କରେ ରାଷ୍ଟ୍ରପତି ଭବନ ପକ୍ଷରୁ ସବିଶେଷ ନିର୍ଦ୍ଦେଶାବଳୀ ଜାରି କରାଯାଇଛି ।

LEAVE A REPLY

Please enter your comment!
Please enter your name here