ଭୁବନେଶ୍ୱର: ଲୋକସେବା ଭବନ ସ୍ଥିତ କନ୍‌ଭେନ୍‌ସନ୍‌ ହଲ୍‌ ପରିସରରେ ନିର୍ମାଣ ବିଭାଗର ୫୦ କୋଟି ଟଙ୍କାରୁ ଊର୍ଦ୍ଧ୍ୱ ନିର୍ମାଣ ପ୍ରକଳ୍ପର ସମୀକ୍ଷା ବୈଠକରେ ଅଧ୍ୟକ୍ଷତା କରି ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ କହିଛନ୍ତି ଯେ, ପୁରୀ ଐତିହ୍ୟ ପ୍ରକଳ୍ପ ଠାରୁ ଆରମ୍ଭ କରି SCBର କ୍ଲିନିକାଲ୍‌ ଓ ରେସିଡେନ୍‌ସିଆଲ୍‌ କମ୍ପ୍ଲେକ୍ସ, ମହିମା ଗାଦି ମନ୍ଦିର ପ୍ରକଳ୍ପ, ବ୍ରାହ୍ମଣୀ, ବୈତରଣୀ ଓ ମହାନଦୀରେ ହାଇଲେବୁଲ୍‌ ସେତୁ ନିର୍ମାଣ ଆଦି ପ୍ରକଳ୍ପ ରାଜ୍ୟ ବିକାଶର ଗୋଟିଏ ଗୋଟିଏ ବୃହତ୍‌ ଅଙ୍ଗ ସଦୃଶ । ଏହାର ସଫଳ ପରିସମାପ୍ତି କେବଳ ସରକାରଙ୍କ ପାଇଁ ନୁହେଁ, ବରଂ ରାଜ୍ୟବାସୀଙ୍କ ପାଇଁ ବଡ଼ ଉପଲବ୍ଧି । ତେଣୁ ଏହି ସବୁ କାର୍ଯ୍ୟରେ କୌଣସି ପ୍ରକାର ଅବହେଳାକୁ କେବେ ହେଲେ ବରଦାସ୍ତ କରାଯିବ ନାହିଁ । ସରକାରୀ ଅଧିକାରୀଙ୍କ ଦାୟିତ୍ୱହୀନତା କାରଣରୁ ହେଉ କିମ୍ବା ଠିକା ସଂସ୍ଥା ଦ୍ୱାରା ଅଯଥା ବିଳମ୍ବ ହେବା ନେଇ ସମସ୍ତ ଅଭିଯୋଗ ବିରୋଧରେ ଦୃଷ୍ଟାନ୍ତ ମୂଳକ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ମନ୍ତ୍ରୀ ହରିଚନ୍ଦନ କହିଛନ୍ତି । ଏହି କ୍ରମରେ SCBର କ୍ଲିନିକାଲ୍‌ ଓ ରେସିଡେନ୍‌ସିଆଲ୍‌ କମ୍ପ୍ଲେକ୍ସ ନିର୍ମାଣ ଦାୟିତ୍ୱ ନେଇଥିବା ଠିକା ସଂସ୍ଥାକୁ କାର୍ଯ୍ୟରେ ବିଳମ୍ବ ପାଇଁ ଚେତାବନୀ ଦିଆଯିବା ସହ ନିର୍ଦ୍ଧାରିତ ସମୟ ଅବଧି ମଧ୍ୟରେ ନିର୍ମାଣ କାର୍ଯ୍ୟ ଶେଷ ନହେଲେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବା ନେଇ ନିର୍ଦ୍ଦେଶ ଦିଆଯାଇଛି । ବୈଠକରେ ପୁରୀ ବାସେଳି ସାହି ଧର୍ମଶାଳାର ନିର୍ମାଣ, ଦିଗବାରେଣୀ ଓ ସମଙ୍ଗ ପାର୍କିଂ, ରେଭେନ୍ସା ବାଳିକା ହଷ୍ଟେଲ ନିର୍ମାଣ, ଭୁବନେଶ୍ୱର ସ୍ଥିତ ବିଧାୟକ କୋଠା, ଟାଇପ୍‌-୪, ଟାଇପ୍‌-୨ ଆବାସିକ କମ୍ପ୍ଲେକ୍ସ, ବ୍ରାହ୍ମଣୀ ନଦୀ ଉପରେ ଦ୍ୱିତୀୟ ସେତୁ ନିର୍ମାଣ, ଶାରଳା ମନ୍ଦିର ଉନ୍ନୟନ ପ୍ରକଳ୍ପ, ମହିମା ମନ୍ଦିର ଉନ୍ନୟନ ପ୍ରକଳ୍ପ, ଯାଜପୁର ସ୍ପୋର୍ଟସ କମ୍ପ୍ଲେକ୍ସ ନିର୍ମାଣ ସମେତ ନିର୍ମାଣ ବିଭାଗ ଅଧୀନରେ ଥିବା ୧୦ଟି ରାସ୍ତା, ୯ଟି ସେତୁ, ୮ଟି ବିଲ୍‌ଡିଂ ସମେତ ଓବିସିସିର ୨୦ଟି ପ୍ରକଳ୍ପ ନିର୍ମାଣର ଅଗ୍ରଗତି ନେଇ ଆଲୋଚନା ହୋଇଥିଲା ।

LEAVE A REPLY

Please enter your comment!
Please enter your name here