ନର୍ଲା ବିଧାୟିକାଙ୍କ ସରକାରୀ ବାସଭବନରେ କେସିଙ୍ଗା ପୋଲିସକୁ ପଶିବାକୁ ନେଇ କେସିଙ୍ଗା ପୋଲିସ ବିରୁଦ୍ଧରେ ଥାନାରେ ଅଭିଯୋଗ କରିଛନ୍ତି ବିଧାୟିକା ମନୋରମା ମହାନ୍ତି । ଭୁବନେଶ୍ୱର ଖାରବେଳେ ନଗର ଥାନାରେ ମନୋରମା ମହାନ୍ତି ଅଭିଯୋଗ କରିଛନ୍ତି । ବିଧାୟିକା କେସିଙ୍ଗା ଏସଡିପିଓ ଓ ଅନ୍ୟ ଦୁଇ ଜଣ ପୋଲିସ ଅଧିକାରୀଙ୍କ ନାଁରେ ଥାନାରେ ଏତଲା ଦେଇଛନ୍ତି ।ଘରେ କେବଳ ତାଙ୍କ ଝିଅ ଏବଂ ସହାୟିକା ଥିବା ବେଳେ ପୋଲିସ ବିନା ଅନୁମତିରେ ତାଙ୍କ ସରକାରୀ ବାସଭବନର କବାଟ ଏବଂ ଝରକା କାଚ ଭାଙ୍ଗି ପଶିଥିଲା । ବିଧାନସଭା ଚାଲୁ ରହିଥିବାବେଳେ ପୋଲିସ ଜଣେ ବିଧାୟିକାଙ୍କ ଘରକୁ କେମିତି ପ୍ରବେଶ କଲା ବୋଲି ସେ ପ୍ରଶ୍ନ କରିଛନ୍ତି । ବିଧାୟିକାଙ୍କ ସ୍ୱାମୀ ଦୁର୍ଗାପ୍ରସାଦ ମହାନ୍ତି ତହସିଲଦାର ବିଭୁ ପ୍ରସାଦଙ୍କୁ ହତ୍ୟା ଧମକ ଦେଇଥିବା କେସିଙ୍ଗା ପୋଲିସ ନିକଟରେ ଅଭିଯୋଗ ହୋଇଛି । ଗତକାଲି କେସିଙ୍ଗା ପୋଲିସ ବିଧାୟିକାଙ୍କ ଭୁବନେଶ୍ୱରସ୍ଥିତ ସରକାରୀ ବାସଭବନରେ ପୋଲିସ ଚଢ଼ଉ କରିଥିଲା । ମାତ୍ର ସେଠାରେ ମନୋରମାଙ୍କ ସ୍ୱାମୀଙ୍କୁ ପାଇନଥିଲେ । ଘରୋଇ ସହାୟିକା ସଙ୍ଗୀନ ଅଭିଯୋଗ କରିଥିଲେ । ସେ ଘରେ ଏକୁଟିଆ ଥିଲେ ଏବଂ ଗାଧୋଇ ସାରି କପଡ଼ା ବଦଳାଇବାକୁ ଯାଉଥିବାବେଳେ ପୋଲିସ କିଛି ସୂଚନା ନ ଦେଇ ପଶିଥିଲା । ଯେଉଁଥିପାଇଁ ସେ ବହୁତ ଅସହଜ ଅନୁଭବ କରିଥିଲେ ବୋଲି କହିଥିଲେ । କଳାହାଣ୍ଡି ଏସପି ଚଢ଼ଉ ଅଭିଯୋଗକୁ ଖଣ୍ଡନ କରିଛନ୍ତି ଏବଂ କହିଛନ୍ତି ଯେ, ପୋଲିସ ତଲାସୀ ପାଇଁ ନୁହେଁ ବରଂ ନୋଟିସ୍ ଦେବାକୁ ଯାଇଥିଲା ।












