ନୂଆଦିଲ୍ଲୀ: ସତ୍ୟ ନିକେତନ ଆବାସିକ କୋଠା ଭୁଶୁଡ଼ିବା ମାମଲାରେ ଦିଲ୍ଲୀ ମହାନଗର ନିଗମର ପାଞ୍ଚ ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । ଏମସିଡି ଦକ୍ଷିଣ ଜୋନର ଉପାୟୁକ୍ତ ରାକେଶ କୁମାର, ଅଧିକ୍ଷକ ଯନ୍ତ୍ରୀ ରଣବୀର ସିଂହ, ପର୍ଯ୍ୟବେକ୍ଷକ ଯନ୍ତ୍ରୀ ଲଳିତ କୁମାର ଗୋୟଲ, ଦୁଇ ସହକାରୀ ଯନ୍ତ୍ରୀ ସୁନୀଲ ଚୌହ୍ୱାନ ଓ ଆଶୀଷ କୁମାରଙ୍କୁ ତତ୍କାଳ ସ୍ୱରୂପ କାର୍ଯ୍ୟରୁ ନିଲମ୍ବିତ କରାଯାଇଛି । ଆଜି ମୁଖ୍ୟମନ୍ତ୍ରୀ ରେଖା ଗୁପ୍ତା ଘଟଣାସ୍ଥଳକୁ ଦ୍ୱିତୀୟ ଥର ପରିଦର୍ଶନ କରିବା ସହିତ ଘର ମାଲିକଙ୍କ ବିରୋଧରେ ଏତଲା ରୁଜୁ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଏହା ସହିତ ଅନ୍ୟ ପୁରୁଣା କୋଠା ଗୁଡ଼ିକର ମଧ୍ୟ ଯାଞ୍ଚ ଆରମ୍ଭ ହୋଇଛି । ପି-୧୩ ଭବନକୁ ମଧ୍ୟ ଏମସିଡି ବିପଦସଙ୍କୁଳ ବୋଲି ଘୋଷଣା କରିଛି । ଏହାକୁ ୩ ଦିନ ମଧ୍ୟରେ ଭାଙ୍ଗିବାକୁ ନିର୍ଦ୍ଦେଶ ଦିଆଯାଇଛି । ସତ୍ୟ ନିକେତନ ଦୀର୍ଘ ୫୬ ବର୍ଷ ତଳର କୋଠା ଅଟେ । ୧୯୭୦ରେ ଏଠାରେ ତିନି ମହଲା ବିଶିଷ୍ଠ କୋଠା ନିର୍ମାଣ ପାଇଁ ଅନୁମତି ଥିବାବେଳେ ଏହାର ନିର୍ମାଣ ତିନି ମହଲାରୁ ଅଧିକ ଥିଲା ।











