ନୂଆଦିଲ୍ଲୀ: ଦିଲ୍ଲୀ ଜଳ ପରିଷଦ ଦୁର୍ନୀତି ମାମଲାରେ ଆମ ଆଦମୀ ପାର୍ଟିର ନେତା ତଥା ପୂର୍ବତନ ମନ୍ତ୍ରୀ ସତ୍ୟେନ୍ଦ୍ର ଜୈନଙ୍କୁ ଆଶ୍ୱସ୍ତି ମିଳିଛି । ଦିଲ୍ଲୀ ରାଉଜ ଏଭନ୍ୟୁ କୋର୍ଟ ସ୍ୱେଜ୍ ଟ୍ରିଟମେଣ୍ଟ ପ୍ଲାଣ୍ଟ ପ୍ରକଳ୍ପ ସହିତ ଜଡ଼ିତ ହେରଫେର ମାମଲାରେ ସତ୍ୟେନ୍ଦ୍ର ଜୈନଙ୍କ ଜାମିନ ଆବେଦନକୁ ଆଜି ମଞ୍ଜୁରୀ ମିଳିଛି । ସ୍ୱତନ୍ତ୍ର ବିଚାରପତି ଦିଗବିନୟ ସିଂ ଶୁଣାଣି କରି ୨ ଜଣ ଜାମିନଦାର ଏବଂ ୨ ଲକ୍ଷ ଟଙ୍କା ଜମାନବନ୍ଦୀରେ ତାଙ୍କୁ ଜାମିନ ପ୍ରଦାନ କରିଛନ୍ତି । ସୂଚନା ଥାଉ ଯେ, ଗଲା ମାସ ୧୮ ତାରିଖରେ ଏସିବି ଦିଲ୍ଲୀ ଜଳ ବୋର୍ଡର ସ୍ୱେଜ୍ ଟ୍ରିଟମେଣ୍ଟ ପ୍ଲାଣ୍ଟ ପ୍ରକଳ୍ପ ଟେଣ୍ଡର ପ୍ରକ୍ରିୟାରେ ହେରଫେର ମାମଲାରେ ସତ୍ୟେନ୍ଦ୍ର ଜୈନଙ୍କୁ ଗିରଫ କରିଥିଲା । ଏହି ମାମଲାରେ ଏସିବି ମୋଟ ୬ ଜଣଙ୍କୁ ନିଜ ହେପାଜତକୁ ନେଇଥିଲା । ଗିରଫ ବ୍ୟକ୍ତିଙ୍କ ମଧ୍ୟରେ ଜଳ ବୋର୍ଡ ପୂର୍ବତନ ସିଇଓ ଆଇଏସ୍ ଉଦିତ ପ୍ରକାଶ ରାୟ, ପୂର୍ବତନ ପରାମର୍ଶଦାତା ଅଙ୍କିତ ଶ୍ରୀବାସ୍ତବ M/s AN ଏଣ୍ଟରପ୍ରାଇଜେସ୍‌ର ସତ୍ତ୍ୱାଧିକାରୀ ନାଗେନ୍ଦ୍ର ଯାଦବ, M/s ୟୁରୋଟେକ୍ ଏନଭାୟରନ୍‌ମେଣ୍ଟ ପ୍ରାଇଭେଟ୍ ଲିମିଟେଡ୍‌ର ମାଲିକ ରାଜା କୁମାର କୁର୍ରା ଏବଂ M/s ସୃଜନହାର୍‌ର ପ୍ରୋପ୍ରାଇଟର ପଙ୍କଜ ବର୍ମା ଥିଲେ । ଭିଜିଲାନ୍ସ ନିର୍ଦ୍ଦେଶାଳୟରୁ ହୋଇଥିବା ଅଭିଯୋଗ ଅନୁଯାୟୀ, ଦିଲ୍ଲୀ ଜଳ ବୋର୍ଡର ଏସଟିପି (STP) ଆଧୁନିକୀକରଣ ଟେଣ୍ଡରରେ ବ୍ୟାପକ ଅନିୟମିତତା, ସର୍ତ୍ତାବଳୀରେ ହେରଫେର ଏବଂ ଅପରାଧିକ ଷଡ଼ଯନ୍ତ୍ର ରଚାଯାଇଥିଲା । ନିର୍ଦ୍ଦିଷ୍ଟ କମ୍ପାନୀ M/s ୟୁରୋଟେକ୍ ଏନଭାୟରନ୍‌ମେଣ୍ଟ ପ୍ରାଇଭେଟ୍ ଲିମିଟେଡ୍‌କୁ ଅନୁକମ୍ପା ଦେବା ପାଇଁ ଟେଣ୍ଡର ନିୟମରେ କୋହଳ କରାଯାଇଥିଲା। ସର୍ତ୍ତାବଳୀକୁ କଡ଼ା କରାଯିବା ସହ ଜଳ ବିଶୋଧନର ପ୍ରମୁଖ ମାନଦଣ୍ଡଗୁଡ଼ିକୁ ହଟାଇ ଦିଆଯାଇଥିଲା।

LEAVE A REPLY

Please enter your comment!
Please enter your name here