ଭୁବନେଶ୍ବର: ଓଡ଼ିଶାର ୪୪ ତମ ରାଜ୍ୟପାଳ ଭାବେ ଶପଥ ନେଇଛନ୍ତି ଡକ୍ଟର ବ୍ରଜ ମୋହନ ରାମ । ଭୁବନେଶ୍ୱର ଲୋକଭବନର ଅଭିଷେକ ହଲ ଠାରେ ଆୟୋଜିତ ସମାରୋହରେ ଓଡ଼ିଶା ହାଇକୋର୍ଟର ମୁଖ୍ୟ ବିଚାରପତି ଜଷ୍ଟିସ୍ ହରିଶ ଟଣ୍ଡନ ରାଜ୍ୟପାଳ ବ୍ରଜ ମୋହନ ରାମଙ୍କୁ ଶପଥ ପାଠ କରାଇଛନ୍ତି ।କୃଷି ଓ ଗ୍ରାମୀଣ ଜୀବନ ସହ ଜଡ଼ିତ ପାରିବାରିକ ପୃଷ୍ଠଭୂମିରୁ ଆସିଥିବା ବ୍ରଜ ମୋହନ ରାମଙ୍କ ରାଜନୈତିକ ଯାତ୍ରା ଆରମ୍ଭ ହୋଇଥିଲା ତୃଣମୂଳ ସ୍ତରରୁ ।୧୯୯୦ରେ ବିଜେପିର ବ୍ଲକ୍ ସଭାପତି ଭାବେ ରାଜନୀତି ଆରମ୍ଭ କରିଥିବା ବ୍ରଜ ମୋହନ ରାମ ୧୯୯୧ରୁ ୧୯୯୫ ଯାଏଁ ବିହାର ବିଧାନସଭାର ସଦସ୍ୟ ଥିଲେ ଏବଂ ୧୯୯୬, ୧୯୯୮ ଓ ୧୯୯୯ରେ ଲଗାତାର ତିନିଥର ପଲାମୁରୁ ଲୋକସଭାକୁ ନିର୍ବାଚିତ ହୋଇଥିଲେ । ଅକ୍ଟୋବର ୧୨ରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ତାଙ୍କୁ ଓଡ଼ିଶାର ରାଜ୍ୟପାଳ ଭାବେ ନିଯୁକ୍ତ କରିଥିଲେ । ଆଜି ସେ ଓଡ଼ିଶାର ରାଜ୍ୟପାଳ ଭାବେ ସାମ୍ବିଧାନିକ ଦାୟିତ୍ୱ ଗ୍ରହଣ କରିଛନ୍ତି ।










