କଟକ: କଟକର ସିଡିଏ ସେକ୍ଟର-୧୦ ସ୍ଥିତ ଏକ ଘରୋଇ କଲେଜ ହଷ୍ଟେଲରୁ ଜଣେ ଯୁକ୍ତ ଦୁଇ ବିଜ୍ଞାନ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଛି। ମୃତ ଛାତ୍ର ଜଣକ ହେଲେ ଚିନ୍ମୟ ସାହୁ। ମିଳିଥିବା ଖବର ଅନୁଯାୟୀ, ଆଜି ଚିନ୍ମୟଙ୍କୁ ହଷ୍ଟେଲ ଭିତରେ ସିଲିଂ ଫ୍ୟାନରେ ଝୁଲନ୍ତା ଅବସ୍ଥାରେ ଦେଖିବାକୁ ମିଳିଥିଲା । ତାଙ୍କୁ ତୁରନ୍ତ ଉଦ୍ଧାର କରାଯାଇ ନିକଟସ୍ଥ ଏକ ଡାକ୍ତରଖାନାକୁ ନିଆଯାଇଥିଲା। କିନ୍ତୁ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ତାଙ୍କ ମୃତ୍ୟୁର ପ୍ରକୃତ କାରଣ ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇପାରି ନାହିଁ। ଚିନ୍ମୟଙ୍କ ବାପା ଅଭିଯୋଗ କରିଛନ୍ତି ଯେ, ମଙ୍ଗଳବାର ଦିନ କଲେଜର ସଂଗ୍ରାମ ନାମକ ଜଣେ ଶିକ୍ଷକ ତାଙ୍କୁ ଫୋନ୍ କରି ପୁଅର ସ୍ୱାସ୍ଥ୍ୟବସ୍ଥା ଖରାପ ଥିବା କହିବା ସହ ତୁରନ୍ତ କଲେଜ ଆସିବାକୁ କହିଥିଲେ। ସେ ବାରମ୍ବାର ପୁଅ ସହ ଫୋନରେ କଥା ହେବାକୁ ଅନୁରୋଧ କରିଥିଲେ ମଧ୍ୟ କଲେଜ କର୍ତ୍ତୃପକ୍ଷ ତାଙ୍କୁ କଥା କରାଇ ନଥିଲେ। ପରିବାର ଲୋକେ କଲେଜରେ ପହଞ୍ଚିବା ବେଳକୁ ପୁଅକୁ ଡାକ୍ତରଖାନା ନିଆଯାଇଥିବା ସେମାନଙ୍କୁ କୁହାଯାଇଥିଲା। ପରିବାର ଲୋକଙ୍କ କହିବା ଅନୁଯାୟୀ, କିଛି ଦିନ ପୂର୍ବରୁ ହଷ୍ଟେଲର କିଛି ଛାତ୍ର ମାଡ଼ ମାରିବାକୁ ଧମକ ଦେଉଥିବା କଥା ଚିନ୍ମୟ ଘର ଲୋକଙ୍କୁ ଜଣାଇଥିଲେ। ଏ ସମ୍ପର୍କରେ କଲେଜ କର୍ତ୍ତୃପକ୍ଷଙ୍କୁ ଜଣାଇବା ପାଇଁ ବାପା ତାଙ୍କୁ କହିଥିଲେ । ମୃତ ଛାତ୍ରଙ୍କ ପରିବାର ଲୋକେ ସିଡିଏ ଫେଜ୍-୨ ମଡେଲ ଥାନାରେ ଏକ ଲିଖିତ ଅଭିଯୋଗ କରିଛନ୍ତି। ପୋଲିସ ଏହି ଘଟଣାର ତଦନ୍ତ ଆରମ୍ଭ କରିଛି। ମୃତ୍ୟୁ ପଛରେ ଥିବା ପ୍ରକୃତ ଦୋଷୀଙ୍କୁ ଚିହ୍ନଟ କରି ସେମାନଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ସହ ସେମାନଙ୍କୁ ନ୍ୟାୟ ପ୍ରଦାନ କରିବାକୁ ପରିବାର ଲୋକେ ଦାବି କରିଛନ୍ତି।










