ସମ୍ବଲପୁର: ପଶ୍ଚିମ ଓଡ଼ିଶାର ମହାନ ଗଣପର୍ବ ହେଉଛି ନୂଆଁଖାଇ।ଚାଷ, ମାଟି ଓ ମଣିଷ ମଧ୍ୟରେ ଥିବା ନିବିଡ଼ ସମ୍ପର୍କର ପ୍ରତୀକ ହେଉଛି ଏହି ପର୍ବ। ଏହି ପବିତ୍ର ଦିନରେ ଚାଷୀ ନିଜ ପରିଶ୍ରମର ପ୍ରଥମ ଫସଲକୁ ନିଜେ ଗ୍ରହଣ କରିବା ପୂର୍ବରୁ ଇଷ୍ଟଦେବୀଙ୍କୁ ସମର୍ପଣ କରି କୃତଜ୍ଞତା ଜଣାଇଥାଏ । ନୂଆଁଖାଇର ପ୍ରମୁଖ ଆକର୍ଷଣ ସମ୍ବଲପୁରର ମା’ ସମଲେଶ୍ୱରୀ ପୀଠ । ଚଳିତବର୍ଷ ନବାନ୍ନ ଲାଗି ପାଇଁ ସକାଳ ୯ଟା ୪୦ରୁ ୯ଟା ୫୪ ମଧ୍ୟରେ ଶୁଭଲଗ୍ନ ଧାର୍ଯ୍ୟ କରାଯାଇଥିଲା । ଏହାପରେ ଘରେ ଘରେ ନିଜ ଇଷ୍ଟଦେବତା ଓ ଗ୍ରାମଦେବୀଙ୍କୁ ନବାନ୍ନ ଅର୍ପଣ କରି ପରିବାର ସଦସ୍ୟ ଏକାଠି ନୂଆ ଅନ୍ନ ଭକ୍ଷଣ କରିବେ । ନୂଆଁଖାଇ’ର ଅର୍ଥ ହେଉଛି ନୂଆ ଅନ୍ନ ଖାଇବା। ନୂଆଁଖାଇ ପରିବାରକୁ ଏକାଠି କରେ, ଭାଇଚାରା ବଢ଼ାଏ ଏବଂ ପୁରୁଣା ମନୋମାଳିନ୍ୟ ଭୁଲି ନୂଆ ସମ୍ପର୍କର ଆରମ୍ଭ ପାଇଁ ସନ୍ଦେଶ ଦିଏ । ନବାନ୍ନ ଭକ୍ଷଣ ପରେ ଆରମ୍ଭ ହୁଏ ‘ନୂଆଁଖାଇ ଜୁହାର’। ପରିବାରର ସାନମାନେ ବଡ଼ମାନଙ୍କୁ ଜୁହାର କରି ଆଶୀର୍ବାଦ ନିଅନ୍ତି । ସାଙ୍ଗସାଥୀ, ଆତ୍ମୀୟସ୍ୱଜନ ଓ ପଡ଼ୋଶୀ ପରସ୍ପରକୁ ନୂଆଁଖାଇ ଜୁହାର ଜଣାନ୍ତି । ସମ୍ବଲପୁର ସହ ବରଗଡ଼, ବଲାଙ୍ଗୀର, ସୁବର୍ଣ୍ଣପୁର, ଝାରସୁଗୁଡ଼ା, କଳାହାଣ୍ଡି, ନୂଆପଡ଼ା, ସୁନ୍ଦରଗଡ଼, ବୌଦ୍ଧ ଓ ଦେବଗଡ଼ ସମେତ ପଶ୍ଚିମ ଓଡ଼ିଶାର ବିଭିନ୍ନ ଅଞ୍ଚଳ ନୂଆଁଖାଇ ପର୍ବ ପାଳନ କରଯାଇଥାଏ lନୂଆଁଖାଇ ଅବସରରେ ରାଜ୍ୟବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ସେ କହିଛନ୍ତି, ନୂଆଁଖାଇ କେବଳ ଏକ ପର୍ବ ନୁହେଁ । ଏହା ଆମର ମାଟି, ସଂସ୍କୃତି, ଚାଲିଚଳଣୀ ଓ ସାମାଜିକ ଏକତାର ପ୍ରାଣସ୍ପନ୍ଦନ । ଏହି ଆନନ୍ଦମୟ ପର୍ବରେ ଆମେ ସମସ୍ତେ ଭେଦଭାବ ଓ ତିକ୍ତତା ଭୁଲି ଗୁରୁଜନଙ୍କୁ ମୁଣ୍ଡିଆଁ ମାରି ଆଶୀର୍ବାଦ ନେଇଥାଉ ।ନୂଆଖାଇଁ ସମସ୍ତଙ୍କ ଜୀବନରେ ନୂଆ ଆଶା ଆଣିଦେଉ ଏବଂ ମାଆ ସମଲେଇ ସମସ୍ତଙ୍କୁ ସୁଖ ସମୃଦ୍ଧି ଦିଅନ୍ତୁ ବୋଲି ସେ ପ୍ରାର୍ଥନା କରିଛନ୍ତି ।











