ତୃତୀୟ ପର୍ୟ୍ୟାୟ ଭୋଟ ପୂର୍ବରୁ ରାଜଧାନୀରେ ନିର୍ବାଚନୀ ହିଂସା ସମସ୍ତଙ୍କୁ ଆତଙ୍କିତ କରିଦେଇଛି. ରବିବାର ରାତିରେ ମଧ୍ୟ ଭୁବନେଶ୍ବର ବିଧାନସଭା ଆସନର ବିଜେଡି ପ୍ରାର୍ଥୀ ଅନନ୍ତ ନାରାୟଣ ଜେନାଙ୍କ ଗାଡି ଉପରକୁ ଦୁର୍ବୃତ୍ତମାନେ ବୋମା ମାଡ କରିଥିଲେ. ସେ ପ୍ରଚାର ସାରି ଝାରପଡା କେନାଲ ବନ୍ଧ ରାସ୍ତାରେ ଆସୁଥିବା ବେଳେ ଏହି ଘଟଣା ଘଟିଥିଲା. ବାଇକରେ ଆସି ଦୁର୍ବୃତ୍ତମାନେ ତାଙ୍କ ଗାଡି ଉପରକୁ ବୋମା ଫୋପାଡି ଆକ୍ରମଣ କରି ପଳାଇଥିବା ବେଳେ ଆକ୍ରମଣରେ ଅନନ୍ତଙ୍କ ସମେତ ତାଙ୍କ ଗାଡିରେ ଥିବା ଦୁଇଜଣ ସମର୍ଥକ ଗୁରୁତର ଆହତ ହୋଇଛନ୍ତି. ବୋମାମାଡରେ ଅନନ୍ତଙ୍କ କାର୍ କାଚ ଭାଙ୍ଗି ଯାଇଛି. ଅନନ୍ତଙ୍କୁ କ୍ୟାପିଟାଲ ହସପିଟାଲ ଆଇସିୟୁରେ ରଖି ଚିକିତ୍ସା କରାଯାଇଥିବା ବେଳେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତାଙ୍କୁ ଭେଟି ସ୍ବାସ୍ଥ୍ୟବସ୍ଥା ପଚାରି ବୁଝିଛନ୍ତି.
ଏହି ଘଟଣା ପରେ ବିଜେଡି ସମର୍ଥକଙ୍କ ମଧ୍ୟରେ ଉତ୍ତେଜନା ପ୍ରକାଶ ପାଇଛି. ବୋମା ମାଡ ଘଟଣା ପାଇଁ ଅନନ୍ତ ଓ ତାଙ୍କ ସମର୍ଥକମାନେ ବିଜେପି ପ୍ରାର୍ଥୀ ଜଗନ୍ନାଥ ପ୍ରଧାନଙ୍କ ଆଡକୁ ଅଙ୍ଗୁଳି ଦେଖାଇଛନ୍ତି. ତେବେ ଅନନ୍ତଙ୍କ ଉପରେ ବୋମାମାଡ ଘଟଣା ପୂର୍ବରୁ ଜଗନ୍ନାଥଙ୍କ ଉପରକୁ ବୋମା ଆକ୍ରମଣ ହୋଇଥିବା ଏବଂ ବିଜେଡି ଏହି କାଣ୍ଡ କରିଥିବା ସେ ଅଭିଯୋଗ କରିଥିଲେ. ମାତ୍ର ସେତେବେଳେ କେବଳ ଜଗନ୍ନାଥଙ୍କ ଗାଡି କାଚ ଭାଙ୍ଗିଥିବା ବେଳେ କେହି ଆହତ ହୋଇ ନଥିଲେ.
ଭୁବନେଶ୍ବର ମଧ୍ୟ ବିଧାନସଭା ଆସନରେ ବିଜେଡି ପ୍ରାର୍ଥୀ ପୂର୍ବତନ ମେୟର ଅନନ୍ତ ନାରାୟଣ ଜେନା ମଇଦାନକୁ ଓହ୍ଲାଇଥିବା ବେଳେ ବିଜେପିରୁ ଜଗନ୍ନାଥ ପ୍ରଧାନ ପ୍ରାର୍ଥୀ ହୋଇଛନ୍ତି.