୧୦ଜାନୁଆରୀ ୨୦୧୮ । ୮ବର୍ଷର ନାବାଳିକାଙ୍କୁ ଅପହରଣ କରି ଏକ ମନ୍ଦିରରେ ନେଇ ଗଣଦୁଷ୍କର୍ମ କରାଯାଇଥିଲା ଏବଂ ଏହାପରେ ତାକୁ ଠେଙ୍ଗାରେ ପଟିପିଟି ହତ୍ୟା କରାଯାଇଥିଲା । ଆପଣଙ୍କର ମନେଥିବ ନିଶ୍ଚିତ । ହଁ ଆଜ୍ଞା ଆମେ କହୁଛୁ ଗତ ବର୍ଷର ଆରମ୍ଭରୁ ଜମ୍ମୁ କାଶ୍ମୀର କଠୁଆ ଜିଲ୍ଲାର ରସାନା ଗ୍ରାମର ଜଣେ ୮ ବର୍ଷ ନାବାଳିକାକୁ ଯେଉଁଭଳି ଭାବେ ମନ୍ଦିରରେ ଦୁଷ୍କର୍ମ କରି ନିର୍ମମ ଭାବେ ହତ୍ୟା କରାଯାଇଥିଲା । ଯାହା ସାରାଦେଶବାସୀଙ୍କୁ ଥରେଇ ଦେଇଥିଲା । ତେବେ ସଂପୃକ୍ତ ଘଟଣାରେ ପଠାନକୋର୍ଟ ଅଦାଲତ ମୁଖ୍ୟ ଅଭିଯୁକ୍ତ ସାଞ୍ଜୀ ରାମ ସମେତ ୬ଜଣଙ୍କୁ ଦୋଷୀ ସାବ୍ୟସ୍ତ କରିଥିବାବେଳେ ୭ମ ଅଭିଯୁକ୍ତ ନାବାଳକ ଥିବାରୁ ତାଙ୍କୁ ମୁକ୍ତ କରାଯାଇଛି । ସେମାନଙ୍କ ବିରୋଧରେ ଆଜି ଅପରାହ୍ନ ୨ଟାରେ ଦଣ୍ଡବିଧାନ କରାଯିବ । ଦୋଷୀ ସାବ୍ୟସ୍ତ ହୋଇଥିବା ଅଭିଯୁକ୍ତମାନେ ହେଉଛନ୍ତି ଗ୍ରାମର ପ୍ରଧାନ ସାଞ୍ଜୀ ରାମ, ଦୀପକ ଖଜୁରିୟା, ପରବେଶ ଦୋଷୀ, ତିଲକ ରାଜ, ଅନନ୍ଦ ଦତ, ସୁରେନ୍ଦ୍ର କୁମାର । ଏମାନଙ୍କ ମଧ୍ୟରେ ଗ୍ରାମର ପ୍ରଧାନ ସାଞ୍ଜୀ ରାମଙ୍କର ମାଷ୍ଟର ମାଇଣ୍ଡ ଥିବା ବେଳେ ଅଭିଯୁକ୍ତ ଥିବା ତାଙ୍କ ପୁଅ ବିଶାଲଙ୍କୁ ୧୯ ବର୍ଷ ହୋଇଥିବା କାରଣରୁ ମୁକ୍ତ କରାଯାଇଛି । କାଠୁଆ ଗଣଦୁଷ୍କର୍ମ ଘଟଣାରେ ୮ଜଣଙ୍କୁ ପୁଲିସ ଗିରଫ କରିଥିଲା । ଜଣେ ୮ ବର୍ଷୀୟା ନାବାଳିକାଙ୍କ ସହ ଏଭଳି ଅମାନୁଷିକ ହତ୍ୟାକାଣ୍ଡ ପରେ ସମ୍ପୁର୍ଣ୍ଣ ଦେଶ ସ୍ତବ୍ଧ ହୋଇଯାଇଥିଲା । ବଲିଉଡ ଠାରୁ ନେଇ ସାଧାରଣ ଜନତା ଏବଂ ରାଜନେତାଙ୍କ ପର୍ଯ୍ୟନ୍ତ ସମସ୍ତେ ଏହାକୁ ତୀବ୍ର ନିନ୍ଦା କରିଥିଲେ । ଏହି ଘଟଣା ପାଇଁ ଭାରତକୁ ଦେଶ ବାହାରେ ମଧ୍ୟ ଲଜ୍ଜିତ ହେବାକୁ ପଡିଥିଲା । ପ୍ରଥମେ ଏହି ମାମଲାରେ ଜମ୍ମୁ କୋର୍ଟରେ ଶୁଣାଣୀ କରାଯାଇଥିଲା କିନ୍ତୁ ପରେ ଏହାର ଶୁଣାଣୀ ପଠାନକୋର୍ଟ ଅଦାଲତରେ କରାଗଲା ।