ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀଙ୍କ ଅଚାନକ ଗସ୍ତବେଳେ ବାଲିପାଟଣା ବ୍ଲକ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ଖାଁ ଖାଁ । ଆଜି ସକାଳ ୧୦ଟା ୪୦ ମିନିଟରେ ଭୁବନେଶ୍ୱର ଉପକଣ୍ଠ ବାଲିଅନ୍ତା ବ୍ଲକ ଶିକ୍ଷାଅଧିକାରୀଙ୍କ କାର୍ଯ୍ୟାଳୟ ପରିଦର୍ଶନ କରିଥିଲେ ଗଣଶିକ୍ଷା ମନ୍ତ୍ରୀ । କେବଳ ଦୁଇ ଜଣ କର୍ମଚାରୀଙ୍କୁ ଛାଡିଦେଲେ ଅଫିସରେ କୌଣସି ଅଧିକାରୀ ଉପସ୍ଥିତ ନଥିବା ଦେଖିବାକୁ ପାଇଥିଲେ ମନ୍ତ୍ରୀ । ଅନୁପସ୍ଥିତ କର୍ମଚାରୀଙ୍କୁ କାରଣ ଦର୍ଶାଅ ନୋଟିସ ସହିତ ଦିନକର ଦରମା କାଟର ନିର୍ଦ୍ଦେଶ ଦିଆଯାଇଛି । ତେବେ କାହିଁକି ନିର୍ଦ୍ଧାରିତ ସମୟରେ ଅଧିକାରୀ ଓ କର୍ମଚାରୀ ଅଫିସ ଆସୁନାହାଁନ୍ତି । ସେନେଇ କାରଣ ଦର୍ଶାଅ ନୋଟିସ ଜାରି କରାଯାଇଛି । ଆଜି ଗଣଶିକ୍ଷା ମନ୍ତ୍ରୀ ସମୀର ଦାସ ରାଜଧାନୀ ଭୁବନେଶ୍ଵର ଉପକଣ୍ଠ ୬ଟି ସ୍କୁଲ ଅଚାନକ ପରିଦର୍ଶନରେ ଯାଇଥିଲେ। କିନ୍ତୁ ଦୁର୍ଭାଗ୍ୟର ବିଷୟ ୬ଟି ସ୍କୁଲ ମଧ୍ୟରୁ ୪ଟି ସ୍କୁଲର ସ୍ଥିତି ବିଚିତ୍ର ଥିଲା। କେଉଁଠାରେ ୧୦ଟା ୪୦ ସୁଦ୍ଧା ଶିକ୍ଷକ ପହଁଚି ନଥିଲେ ତ କେଉଁଠାରେ ପ୍ରଧାନ ଶିକ୍ଷକ ନଥିଲେ ତ କେଉଁଠାରେ ଶିକ୍ଷକ ଶିକ୍ଷୟତ୍ରୀମାନେ କ୍ଲାସ ଆରମ୍ଭ କରିବା ବଦଳରେ ବାରଣ୍ଡାରେ ଠିଆ ହୋଇ ଗପୁଥିଲେ। ଏଭଳି ଦୂରାବସ୍ଥାର ଚିତ୍ର ଦେଖିବାକୁ ମିଳିଥିଲା ଖୋର୍ଦ୍ଧା ଜିଲ୍ଲା ନୂଆପାଟଣା ପ୍ରତାପ ଶାସନ ହାଇସ୍କୁଲରେ। ଏଠାରେ ୧୦ଟା ୪୦ ସୁଦ୍ଧା ମାତ୍ର ୨ଜଣ ଶିକ୍ଷକ ଉପସ୍ଥିତ ଥିଲେ। ଯାହାକୁ ଦେଖି ମନ୍ତ୍ରୀ କ୍ଷୁବ୍ଧ ହୋଇଛନ୍ତି । ଏତଦ୍ ବ୍ୟତୀତ ସ୍କୁଲକୁ କାହିଁକି କମ୍ ପିଲା ଆସୁଛନ୍ତି, କିଭଳି ପାଠ ପଢା ଚାଲିଛି ସେନେଇ ପିଲାଙ୍କ ଠାରୁ ପଚାରି ବୁଝିଥିଲେ ମନ୍ତ୍ରୀ। ଯଦି ଅନୁପସ୍ଥିତ ଥିବା ଶିକ୍ଷକମାନେ କାରଣ ଦର୍ଶାଅ ନୋଟିସର ଉତ୍ତର ନରଖନ୍ତି ତେବେ ତାଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଛନ୍ତି ସମୀର ଦାସ୍ ।