ଚଳିତ ଦଶହରାକୁ ଭିଜେଇ ପାରେ ବର୍ଷା | ଏନେଇ ପୂର୍ବାନୁମାନ କରିଛି ଭାରତୀୟ ପାଣିପାଗ ବିଭାଗ | ଆସନ୍ତା ୫ ତାରିଖ ପର୍ଯ୍ୟନ୍ତ ଓଡ଼ିଶାରେ ପାଗ ମୁଖ୍ୟତଃ ଶୁଖିଲା ରହିବା ସହ କାଁ ଭାଁ ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ଘଡ଼ଘଡ଼ି ସହ ବର୍ଷାର ସମ୍ଭାବନା ରହିଛି | ତେବେ ୬ ତାରିଖଠାରୁ ପାଗରେ ପରିବର୍ତନ ଆସିବ | ଅଧିକାଂଶ ସ୍ଥାନରେ ସ୍ବଳ୍ପରୁ ମଧ୍ୟମ ଧରଣର ବର୍ଷା ଲାଗିରହିବ | ନବମୀ ଓ ଦଶମୀ ତଥା ଦଶହରାରେ ରାଜ୍ୟର ଅଧିକାଂଶ ସ୍ଥାନରେ ବର୍ଷା ହେବ | ୬ ତାରିଖ ବେଳକୁ ପଶ୍ଚିମବଙ୍ଗ, ଓଡ଼ିଶା ଉପରେ ଏକ ବିସ୍ତୃତ ଘୂର୍ଣ୍ଣିବଳୟ ସୃଷ୍ଟି ହେବ | ଏହାର ପ୍ରଭାବରେ ରାଜ୍ୟରେ ବର୍ଷା ହେବ | ଅନେକ ସ୍ଥାନରେ ସ୍ବଳ୍ପ ବର୍ଷା(୧୫ ମିମିରୁ କମ୍) ଓ ଅଳ୍ପ କେତେକ ସ୍ଥାନରେ ମଧ୍ୟମ ଧରଣ ବର୍ଷା(୧୫ରୁ ୨୫ ମିମି) ହୋଇପାରେ | ୮ ଓ ୯ ତାରିଖରେ ସମସ୍ତ ସ୍ଥାନରେ ମଧ୍ୟମଧରଣର ବର୍ଷା ହେବ | ଗୋଟିଏ ଦୁଇଟି ସ୍ଥାନରେ ପ୍ରବଳ(୩୫ ମିମିରୁ ଅଧିକ) ବର୍ଷା ହେବାର ସମ୍ଭାବନା ରହିଛି। ୧୦ରୁ ୧୨ ତାରିଖ ଯାଏ ମଧ୍ୟ ବର୍ଷା ହେବ | ପଶ୍ଚିମବଙ୍ଗ, ଓଡ଼ିଶା ଓ ଛତିଶଗଡ଼ରେ କୁମାରପୂର୍ଣ୍ଣିମା ପରେ ଅର୍ଥାତ୍ ୨୦ ତାରିଖ ପର୍ଯ୍ୟନ୍ତ ବର୍ଷାର ସମ୍ଭାବନା ରହିଛି | ରାଜ୍ୟରେ ମୌସୁମୀ ବର୍ଷା ୨୨ ତାରିଖରେ ପ୍ରତ୍ୟାବର୍ତନ କରିବାର ସମ୍ଭାବନା ରହିଛି | ସେପଟେ ବିହାରରେ ଲାଗିରହିଥିବା ଲଗାଣ ବର୍ଷା ଓ ବନ୍ୟା କାରଣରୁ ୭୩ ଜଣକ ଜୀବନ ଯାଇଥିବା ସୂଚନା ମିଳିଛି | ଅନେକ ସ୍ଥାନ ଏବେ ବନ୍ୟା ଘେରରେ ରହିଛି |

LEAVE A REPLY

Please enter your comment!
Please enter your name here