ଦିନକୁ ଦିନ ଯାଜପୁର ପିଇଓ ସ୍ମିତାରାଣୀଙ୍କ ମୃତ୍ୟୁ ମାମଲା ସରକାରଙ୍କୁ ଅଡୁଆରେ ପକାଉଛି. ଯାଜପୁର ଏସପିଙ୍କ ତଦନ୍ତ ରିପୋର୍ଟକୁ ଖୋଦ୍ ରାଜ୍ୟ ମହିଳା କମିଶନର କଟାକ୍ଷ କରିବା ପରେ ତଦନ୍ତ ରିପୋର୍ଟର ନିରପେକ୍ଷତା ଉପରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି. ସ୍ମିତାରାଣୀଙ୍କ ମୃତ୍ୟୁ ସହ ଶାସକ ଦଳ ନେତାଙ୍କ ସଂପୃକ୍ତି ଥିବା ନେଇ ବିରୋଧୀ ଅଭିଯୋଗ କରିବା ସହ ଉଭୟ ବିରୋଧୀ ଦଳ ବିଜେପି ଓ କଂଗ୍ରେସ ମାମଲାର ସିବିଆଇ ତଦନ୍ତ ଦାବି କରିଛନ୍ତି. ଅନ୍ୟପକ୍ଷରେ ତଦନ୍ତ ପ୍ରକ୍ରିୟାକୁ ନେଇ ସ୍ମିତାରାଣୀଙ୍କ ସ୍ବାମୀ ଓ ବାପା ମଧ୍ୟ ଅସନ୍ତୋଷ ପ୍ରକାଶ କରିଛନ୍ତି. ଓଡିଶା ପୋଲିସ ଉପରେ ସେମାନଙ୍କର ଆଉ ଭରଷା ନାହିଁ ବୋଲି କହିଛନ୍ତି. ଏପରିକି ସ୍ମିତାଙ୍କ ବାପା ସଦାନନ୍ଦ ବିଶ୍ବାଳ ଖୁବଶୀଘ୍ର ଓଡିଶା ଛାଡିବେ ବୋଲି କହିଛନ୍ତି. ସ୍ମିତାଙ୍କ ମୃତ୍ୟୁ ସହ ସଂପୃକ୍ତ ବ୍ୟକ୍ତିମାନେ ପ୍ରଭାବଶାଳୀ ଏବଂ ସେମାନେ ତାଙ୍କ ପରିବାର ପ୍ରତି ବିପଦ ସୃଷ୍ଟି କରିପାରନ୍ତି ବୋଲି ସେ ଆଶଙ୍କା ପ୍ରକାଶ କରିଛନ୍ତି. କେଉଁ ଆଧାରରେ ଏସପି ସ୍ମିତାରାଣୀଙ୍କ ଚରିତ୍ର ସଂହାର କଲେ ବୋଲି ପ୍ରଶ୍ନ ଉଠିଛି.