ଖୋର୍ଦ୍ଧା ଠାରୁ ବ୍ରହ୍ମପୁର ଯାଇଥିବା ଜାତୀୟ ରାଜପଥରେ ଦଶ କିଲୋମିଟର ଗଲେ ପଡେ କାଇପଦର । ଏଠାରେ ଅଛି ପ୍ରସିଦ୍ଧ ହଜରତ ବୁଖରୀ ପୀର ବାବାଙ୍କ ଆସ୍ଥାନ । ସର୍ବଧର୍ମର ପୀଠ ଭାବେ ପରିଚିତ କାଇପଦର ପୀର ବାବାଙ୍କର ରହିଛି ଅଲୌକିକ ମହିମା । ଅନେକ ଭକ୍ତ ନିଜର ମାନସିକ ପୂରଣ ପାଇଁ ପୀଠରେ ଥିବା ଗୁହାରିଆ ଘରେ ରହି ପୀର ବାବାଙ୍କ ଶରଣାପର୍ଣ୍ଣ ହୋଇଥାନ୍ତି । ସବୁଠାରୁ ବଡ କଥା ହେଉଛି, ହିନ୍ଦୁ ଧର୍ମର ଭକ୍ତ ମାନେ ଏଠାରେ ସତ୍ୟନାରାୟଣ ପୂଜା କରିବା ବେଳେ ମୁସଲମାନମାନେ ନମାଜ ପାଠ କରିଥାନ୍ତି। ବିଶ୍ୱାସ ରହିଛି ଯେଉଁ ଭକ୍ତମାନେ ସେମାନଙ୍କର ମନକଥାକୁ କାଗଜରେ ଲେଖି ମାନସିକ ଦରଖାସ୍ତ ଭାବରେ ବାବାଙ୍କ ପୀଠରେ ବାନ୍ଧିଥାନ୍ତି, ସେମାନଙ୍କର ମନସ୍କାମନା ପୂରା ହୋଇଥାଏ । ବାବାଙ୍କ ପାଖରେ ଭକ୍ତମାନେ ଗୁଡରେ ତିଆରି ଖଜା ପୂଜା କରିଥାନ୍ତି । କୁହାଯ଼ାଏ, ପ୍ରାୟ ୫୦୦ -୬୦୦ ବର୍ଷ ତଳେ ଏଠାକୁ ଜଣେ ମୁସଲମାନ ଫକୀର ଆସି ଅବସ୍ଥାନ କରିଥିଲେ। ଜଣେ ଗଉଡ଼ ହିନ୍ଦୁ ଭକ୍ତ ତାଙ୍କର ସେବା କରୁଥିଲେ। ବାବା ସମାଧିସ୍ଥ ଅବସ୍ଥାରେ ତାଙ୍କ ଉପରେ ଉଇ ହୁଙ୍କା ହୋଇଯାଇଥିଲା, ଏବଂ ତାଙ୍କ ପାଖରେ ଥିବା ହିନ୍ଦୁ ଭକ୍ତଙ୍କ ଉପରେ ମଧ୍ୟ ଉଇହୁଙ୍କା ହୋଇଯାଇଥିଲା। ତେଣୁ ଏବେ ମଧ୍ୟ ବାବାଙ୍କ ପାଖକୁ ଲାଗି ଗୋଟେ ଛୋଟ ଉଇହୁଙ୍କା ରହିଛି, ଯାହାକି ସତ୍ୟନାରାୟଣ ରୂପେ ପୂଜାପାଉଛନ୍ତି। ପ୍ରତିବର୍ଷ ରମଜାନ ମାସର ୨୩ଦିନ ଓ ୨୪ ଦିନ ଏହି ୨ ଦିନ ପୀର ବାବାଙ୍କର ଜନ୍ମଦିବସ ମହା ଆଡମ୍ବରରେ ପାଳନ କରାଯାଏ। ଏବଂ ପ୍ରତ୍ୟେକ ଗୁରୁବାରଦିନ ବାବାଙ୍କର ସ୍ୱତନ୍ତ୍ର ପୂଜା କରାଯାଏ। ସେଦିନ ବାବାଙ୍କ ପାଖରେ ଖିରି ଭୋଗ କରାଯାଇ ଭକ୍ତଙ୍କ ମଧ୍ୟରେ ବଣ୍ଟା ଯାଇଥାଏ। ପୀର ବାବାଙ୍କ ପୀଠ ପାଖରେ ମୁସଲମାନଙ୍କର ଏକ ମସଜିଦ ରହିଛି । ଦୂର ଦୂରାନ୍ତ ରୁ ଆସୁଥିବା ଭକ୍ତଙ୍କ ରହିବାପାଇଁ ସରକାରଙ୍କ ତରଫରୁଏକ ଅତିଥି ଭବନ ଓ ମସଜିଦ ତରଫରୁ ଏକ ଓସମାନ ସରାଇ ରହିଛି।