ମହା ଶିବରାତ୍ରୀ । ସବୁଠି ଶିବମୟ ପରିବେଶ । ହର ହର ମହାଦେବରେ ପ୍ରକମ୍ପିତ ବିଭିନ୍ନ ଶୈବାଳୟ । ମହାଦେବଙ୍କ ଆର୍ଶୀବାଦ ନେବାକୁ ଶିବାଳୟରେ ଲାଗିଛି ଶ୍ରଦ୍ଧାଳୁଙ୍କ ସମାଗମ । ଶ୍ରୀକ୍ଷେତ୍ରରେ ଶ୍ରୀ ଲୋକନାଥଙ୍କ ସାନିଧ୍ୟ ପାଇଁ ଲକ୍ଷାଧିକ ଭକ୍ତଙ୍କ ସମାଗମ ହୋଇଛି । ରାତି ୧୨ଟାରୁ ଶ୍ରୀ ଲୋକନାଥଙ୍କ ଦ୍ୱାର ଫିଟାଯାଇ ସମସ୍ତ ନୀତିକାନ୍ତି କରାଯାଇଛି । ଏହାପରେ ଆରମ୍ଭ ହୋଇଛି ସାଧାରଣ ଦର୍ଶନ । ରାତି ୧୨ଟାରେ ଉଠିବ ମହାଦୀପ । ସେପଟେ ଜଗତ ମଙ୍ଗଳା ଜାଗର କମିଟି ପକ୍ଷରୁ ପ୍ରଜ୍ୱଳନ କରାଯାଇଛି ସାଢେ ୬ ଫୁଟ ଉଚ୍ଚର ଦୀପ । ଦେବ ଦେବ ମହାଦେବଙ୍କ ଲୋକନାଥଙ୍କ ପୀଠରେ ଜଳୁଛି ପୃଥୀବର ସର୍ବ ବୃହତ ଦୀପ । ମାଟିରେ ନିର୍ମିତ ଦୀପଟିର ଲମ୍ବ ସାଢେ ୬ ଫୁଟ ରହିଥିବାବେଳେ ଓସାରେ ସାଢେ ୪ ଫୁଟ ରହିଛି । ଯାହା ପ୍ରଜ୍ୱଳିତ ହେଉଛି ୪ ଶହ ଲିଟର ଘିଅରେ । ଗତକାଲି ଶ୍ରୀ ଲୋକନାଥ ପୀଠରେ ପଙ୍କୋଦର ଏକାଦଶୀ ତିଥିରେ ପାରମ୍ପାରିକ ରିତିରେ ଦୀପ ପ୍ରଜ୍ୱଳନ ଆରମ୍ଭ ହୋଇଛି । ପାର୍ବତୀ ସାଗର ନିକଟରେ ଏକ ନୁତନ ଶୈଳୀରେ ଦୀପ ସ୍ଥାପନ କରାଯାଇଛି । ବିଧାୟକ ଜୟନ୍ତ କୁମାର ଷଡଙ୍ଗୀ ଓ ପୂର୍ବତନ ମନ୍ତ୍ରୀ ମହେଶ୍ୱର ମହାନ୍ତି ଏହି ଦୀପକୁ ପ୍ରଜ୍ୱଳିତ କରି ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ । ମହାଦୀପ ଉଠିବା ପର୍ଯ୍ୟନ୍ତ ଏହି ଦୀପ ଜଳିବ ।