ଭୁବନେଶ୍ୱର : ଆଜି ପବିତ୍ର ମହାଶିବରାତ୍ରି ବା ଜାଗର ଯାତ୍ରା । ସେଥିପାଇଁ ରାଜ୍ୟର ସମସ୍ତ ଶୈବପୀଠରେ ଭିଡ ଲାଗି ରହିଛି । ଭକ୍ତମାନେ ଧାଡି କରି ମନ୍ଦିର ଦର୍ଶନ କରୁଛନ୍ତି । ଭୋର ୪ ଟାରୁ ଭକ୍ତମାନେ ଦେବ ଦେବ ମହାଦେବଙ୍କ ଦର୍ଶନ ନିମନ୍ତେ ଲମ୍ବା ଲାଇନ କରି ଛିିଡା ହୋଇଛନ୍ତି । ଭକ୍ତମାନେ କିପରି ଶୃଙ୍ଖଳିତ ଭାବେ ଦର୍ଶନ କରିପାରିବେ ସେଥିପାଇଁ ପୁଲିସ ପ୍ରଶାସନ ପକ୍ଷରୁ ସମସ୍ତ ଶୈବ ପୀଠରେ ବ୍ୟାପକ ସୁରକ୍ଷାର ବନ୍ଦୋବସ୍ତ କରାଯାଇଛି । ବିଶେଷକରି ଭୁବନେଶ୍ୱରର ଲିଙ୍ଗରାଜ ମନ୍ଦିର, ପୁରୀର ଲୋକନାଥ ମନ୍ଦିର, କଟକର ଅମରେଶ୍ୱର ମନ୍ଦିର, ଧବଳେଶ୍ୱର ମନ୍ଦିର, ପରମହଂସ ମନ୍ଦିର, ଢେଙ୍କାନାଳର କପିଳାସ, ଭଦ୍ରକ ଜିଲ୍ଲାର ଆଖଣ୍ଡଳମଣି ମନ୍ଦିରରେ ପ୍ରବଳ ଭିଡ ଦେଖିବାକୁ ମିଳିଛି । ସେହିପରି ଆଜି ଭୁବନେଶ୍ୱରର ଲିଙ୍ଗରାଜ ମନ୍ଦିରରେ ପ୍ରବଳ ଭକ୍ତଙ୍କ ଆଗମନ ପାଇଁ ବ୍ୟାପକ ସୁରକ୍ଷାର ବନ୍ଦୋବସ୍ତ କରାଯାଇଛି । ମନ୍ଦିର ପରିସରରେ ୩୦ ପ୍ଲାଟୁନ ପୁଲିସ ଫୋର୍ସ ମୁତୟନ କରାଯାଇଛି । ଚଳିତ ବର୍ଷ ମନ୍ଦିର ପ୍ରଶାସନ ପକ୍ଷରୁ ମନ୍ଦିରକୁ ଫୁଲରେ ଅତି ସୁନ୍ଦର ଭାବରେ ସଜା ଯାଇଛି । ଭକ୍ତମାନଙ୍କର ସୁବିଧା ପାଇଁ ବ୍ୟାରିକେଡ ବ୍ୟବସ୍ଥା ସହ ଲିଙ୍ଗରାଜ ମନ୍ଦିିର ସମ୍ମୁଖରେ ଫାଇବର ସେଡ୍ ଲଗାଯାଇଛି । ମନ୍ଦିର ଭିତରେ ଓ ବାହାରେ ସିସିଟିଭି କ୍ୟାମେରା ଲଗାଯାଇଛି । ଏହି ବର୍ଷ ଶ୍ରଦ୍ଧାଳୁମାନେ ମନ୍ଦିର ବାହାରେ ଦୀପ ଜାଳିବାର ମଧ୍ୟ ବନ୍ଦୋବସ୍ତ କରାଯାଇଛି । ଟ୍ରାଫିକ ପୁଲିସ ପକ୍ଷରୁ ମଧ୍ୟ କଡା ସୁରକ୍ଷାର ବନ୍ଦୋବସ୍ତ କରାଯାଇଛି । ଗାଡି ମଟର ରଖିିବା ପାଇଁ ୧୪ଟି ପାର୍କିଂ ସ୍ଥଳର ବ୍ୟବସ୍ଥା କରାଯାଇଛି । ସୂଚନାଅନୁସାରେ ରାତି ୧୦ଟାରେ ଲିଙ୍ଗରାଜ ମହାପ୍ରଭୁଙ୍କର ମହାଦୀପ ଉଠିବା ପାଇଁ ପ୍ରଶାସନ ପକ୍ଷରୁ ପ୍ରସ୍ତୁତି କରାଯାଇଛି ।

LEAVE A REPLY

Please enter your comment!
Please enter your name here