ନୂଆ ସଂସଦ ଭବନ ଉଦଘାଟନ ଉତ୍ସବରେ ସାମିଲ ହେବ ବିଜେଡି । ଆଜି ଦଳର ଜାତୀୟ ମୁଖପାତ୍ର ସସ୍ମିତ ପାତ୍ର ଏହା ସ୍ପଷ୍ଟ କରିଛନ୍ତି । ସସ୍ମିତ ପାତ୍ର କହିଛନ୍ତି, ସଂସଦ ଭବନ ଏକ ସାମ୍ବିଧାନିକ ଅନୁଷ୍ଠାନ ଏବଂ ଏହା ଦେଶର ଗର୍ବ ଓ ଗୌରବ । ଏହା ରାଜନୀତି ଠାରୁ ଉର୍ଦ୍ଦ୍ବରେ । ବିରୋଧୀ ଯେଉଁ ପ୍ରସଙ୍ଗ ଉଠାଇଛନ୍ତି, ତାହା ଉପରେ ପରବର୍ତ୍ତୀ ସମୟରେ ବିତର୍କ କରାଯାଇପାରିବ । ତେଣୁ ସଂସଦ ଭବନ ଉଦଘାଟନ ଉତ୍ସବରେ ବିଜେଡି ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସମେତ କିଛି ବରିଷ୍ଠ ସାଂସଦ ସାମିଲ ହେବେ ବୋଲି ସସ୍ମିତ ପାତ୍ର ସ୍ପଷ୍ଟ କରିଦେଇଛନ୍ତି ।
ନୂତନ ସଂସଦ ଭବନ ଆଶନ୍ତା 28 ତାରିଖରେ ଉଦଘାଟିତ ହେବ ଏବଂ ଏହାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଉଦଘାଟନ କରିବେ । କିନ୍ତୁ 19ଟି ବିରୋଧୀ ଦଳ ସଂସଦ ଭବନ ଉଦଘାଟନ ପ୍ରଧାନମନ୍ତ୍ରୀଙ୍କ ବଦଳରେ ରାଷ୍ଟ୍ରପତିଙ୍କ ଦ୍ବାରା କରାଇବାକୁ ଦାବି କରିଛନ୍ତି । ସାମ୍ବିଧାନିକ ମୁଖ୍ୟ ଭାବେ ରାଷ୍ଟ୍ରପତି ଏହାକୁ ଉଦଘାଟନ କରିବା ଉଚିତ ବୋଲି ବିରୋଧୀ କହିବା ସହ ପ୍ରଧାନମନ୍ତ୍ରୀଙ୍କ ଦ୍ବାରା ଉଦଘାଟନ କାର୍ଯ୍ୟକ୍ରମକୁ ବିରୋଧ କରିଛନ୍ତି । ଏପରିକି ଉଦଘାଟନ କାର୍ଯ୍ୟକ୍ରମକୁ ବର୍ଜନ କରିବାକୁ ମିଳିତ ବିରୋଧୀଦଳ ନିଷ୍ପତ୍ତି ନେଇଛନ୍ତି । ତେବେ ମିଳିତ ବିରୋଧୀ ଦଳ ନିଷ୍ପତ୍ତି ସହ ଏକମତ ହୋଇପାରିନି ବିଜେଡି । ବିଜେଡି ଏହି ଉଦଘାଟନୀ କାର୍ଯ୍ୟକ୍ରମରେ ସାମିଲ ହେବ ବୋଲି ସ୍ପଷ୍ଟ କରିଦିଆଯାଇଛି ।

LEAVE A REPLY

Please enter your comment!
Please enter your name here