ବାରବର୍ଷ କ୍ଷମତାରେ ଥିବା ଦିଲ୍ଲୀରେ ଆମ ଆଦମୀ ପାର୍ଟି ସରକାରକୁ କ୍ଷମତାଚ୍ୟୁତ କରି ବିଜେପି ଦିଲ୍ଲୀ ଦଖଲ କରିଛି । 70 ଆସନ ବିଶିଷ୍ଟ ଦିଲ୍ଲୀ ବିଧାନସଭାରେ ବିଜେପି 48ଟି ଆସନରେ ବିଜୟ ଲାଭ କରିଥିବା ବେଳେ ଆପ୍ କୁ 22ଟି ଆସନ ମିଳିଛି । କଂଗ୍ରେସକୁ ନିରାଶ ହେବାକୁ ପଡିଛି । ସବୁଠୁ ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗ ହେଉଛି ନିର୍ବାଚନରେ ଆପ୍ ଆବାହକ ଅରବିନ୍ଦ କେଜ୍ରିଓ୍ୱାଲଙ୍କ ସମେତ ମନୀଷ ସିସୋଦିଆ, ସତ୍ୟେନ୍ଦ୍ର ଜୈନଙ୍କ ଭଳି ଦଳର ଆଗ ଧାଡିର ନେତା ନିର୍ବାଚନରେ ପରାଜୟ ବରଣ କରିଛନ୍ତି । ତେବେ କେଜ୍ରିଓ୍ବାଲଙ୍କ ପରେ ମୁଖ୍ୟମନ୍ତ୍ରୀ ହୋଇଥିବା ଆତିଶୀ ନିର୍ବାଚନ ବିଜୟ ଲାଭ କରିଛନ୍ତି । ଆମ୍ ଆଦମୀ ପାର୍ଟିର ପରାଜୟ ଏବଂ ବିଜେପିର ଦିଲ୍ଲୀ ଦଖଲର ସଫଳତାକୁ ନେଇ ସାରା ଦେଶରେ ବିଜେପି ବିଜୟ ଉତ୍ସବ ପାଳନ କରିଛି । ପରାଜୟ ପାଇଁ ଆମ ଆଦମୀ ପାର୍ଟିର ନେତାମାନେ ସେମାନେ ମୋଦୀ ସରକାରଙ୍କ ଷଡଯନ୍ତ୍ରର ଶୀକାର ହୋଇଛନ୍ତି ବୋଲି କହିଛନ୍ତି । ତେବେ କେଜ୍ରିଓ୍ୱାଲ ସରକାରକୁ ଗାଦିଚ୍ୟୁତ କରି ବିଜେପି ଦିଲ୍ଲୀ ଦଖଲ କରିବା ପଛର କିଛି ପ୍ରମୁଖ କାରଣ ରହିଛି ।
2014 ଓ 2019 ସାଧାରଣ ନିର୍ବାଚନରେ ଦେଶବ୍ୟାପୀ ମୋଦୀ ଲହର ବ୍ୟାପିଥିବା ବେଳେ ଅରବିନ୍ଦ କେଜ୍ରିଓ୍ୱାଲଙ୍କ ନେତୃତ୍ବରେ ଆମ ଆଦମୀ ପାର୍ଟି ସରକାର ଗଢିବା ନରେନ୍ଦ୍ର ମୋଦୀଙ୍କ ପାଇଁ ଆଦୌ ହଜମ ହୋଇ ନ ଥିଲା । ଯଦିଓ ସାରା ଦେଶରେ ମୋଦୀଙ୍କ ନେତୃତ୍ବରେ ବିଜେପି ଗୋଟିକ ପରେ ଗୋଟିଏ ରାଜ୍ୟ ଜୟ କରି ଚାଲିଥିଲା, କିନ୍ତୁ ଦେଶର ରାଜଧାନୀ ଦିଲ୍ଲୀରେ ପରାଜୟ ମୋଦୀଙ୍କ ପାଇଁ ଅପମାନଜନକ ଥିଲା । ତେଣୁ ଯେକୌଣସି ଉପାୟରେ ବିଜେପି ଦିଲ୍ଲୀ ଦଖଲ ପାଇଁ ଯୋଜନା ତିଆରି କରିଥିଲା ।
କେଜ୍ରିଓ୍ୱାଲଙ୍କ ନେତୃତ୍ବରେ ଆପ୍ ସରକାର ଶିକ୍ଷା, ସ୍ବାସ୍ଥ୍ୟ ଭଳି ମୌଳିକ ସୁବିଧା ପ୍ରଦାନ କ୍ଷେତ୍ରରେ ପରିବର୍ତ୍ତନ ଆଣିଥିଲା । ଯାହାକୁ ନେଇ କେଜ୍ରିଓ୍ୱାଲଙ୍କ ଲୋକପ୍ରିୟତା ବଢି ଚାଲିଥିଲା । ପଞ୍ଜାବରେ ଆପ୍ ସରକାର ଗଢିବା ମଧ୍ୟ ଆଉ ଏକ ବଡ ସଫଳତା ଆଣି ଦେଇଥିଲା । କଂଗ୍ରେସକୁ ହରାଇ ସାରା ଦେଶରେ ଗୈରିକ ଯାତ୍ରାରେ ଆପ୍ ବଡ ପ୍ରତିବନ୍ଧକ ସାଜିଥିଲା । ତେଣୁ ଆପ୍ କୁ ରାସ୍ତାରୁ ହଟେଇବାକୁ ଯୋଜନା ତିଆରି କରିଥିଲା ବିଜେପି ।
କେଜ୍ରିଓ୍ୱାଲଙ୍କ ରାଜନୈତିକ ସଫଳ ଯାତ୍ରାରେ ମୁଖ୍ୟ ପ୍ରତିବନ୍ଧକ ସାଜିଥିଲେ ଏଲଜି । କେନ୍ଦ୍ର ବିଜେପି ସରକାରଙ୍କ ଏଜେଣ୍ଟ ଭାବେ ଲେଫ୍ଟନାଣ୍ଟ ଗଭର୍ଣ୍ଣର (ଏଲଜି) ନିର୍ବାଚିତ ଆପ୍ ସରକାରକୁ ସହଯୋଗ ନ କରିବା ଦଳ ପାଇଁ ବଡ ସମସ୍ୟା ସୃଷ୍ଟି କରିଥିଲା । ଏହାକୁ ନେଇ କେଜ୍ରିଓ୍ୱାଲ ଯଦିଓ ଅଦାଲତର ଦ୍ବାରସ୍ଥ ହୋଇଥିଲେ, କିନ୍ତୁ ପ୍ରତି କଥାରେ କେନ୍ଦ୍ର ସହ କେଜ୍ରିଓ୍ୱାଲଙ୍କ ତୁ ତୁ .. ମେଁ ମେଁ .. ଆପ୍ ପାଇଁ ସମସ୍ୟା ତିଆରି କରିଥିଲା ।
ସବୁଠୁ ବଡ କାରଣ ଥିଲା ଦିଲ୍ଲୀ ସରକାରଙ୍କ ନୂଆ ଅବକାରୀ ନୀତି । ଯେଉଁଥିପାଇଁ ମନୀଷ ସିସୋଦିଆ, ସତ୍ୟେନ୍ଦ୍ର ଜୈନ ଓ ଅରବିନ୍ଦ କେଜ୍ରିଓ୍ୱାଲଙ୍କ ଭଳି ନେତାଙ୍କ ଜେଲ୍ ଯିବାକୁ ପଡିଲା । ଇଡି, ସିବିଆଇ, ଆୟକର ପ୍ରମୁଖ କେନ୍ଦ୍ରୀୟ ସଂସ୍ଥା ଆମ୍ ଆଦମୀ ପାର୍ଟି ନେତାମାନଙ୍କୁ ଏମିତି ଘେରିଗଲେ ଯେ, ସେଥିରୁ ମୁକୁଳି ଦଳ ପାଇଁ କାର୍ଯ୍ୟ କରିବା ସହଜସାଧ୍ୟ ନ ଥିଲା । ଗୋଟିକ ପରେ ଗୋଟିଏ କେସରେ ଆପ୍ ନେତାମାନଙ୍କୁ ଏମିତି ଛନ୍ଦି ଦିଆଗଲା ଯେ ଆଉ ବିକାଶମୂଳକ କାର୍ଯ୍ୟକ୍ରମ କରିବା ସେମାନଙ୍କ ପାଇଁ ସମ୍ଭବ ନ ଥିଲା ।
ଆମ ଆଦମୀ ପାର୍ଟିକୁ ଭାଙ୍ଗିବା ପାଇଁ ବିଜେପି ଚାଣକ୍ୟଙ୍କ ଗୋଟି ଚାଳନା ଆଗରେ କେଜ୍ରିଓ୍ୱାଲଙ୍କ ରଣନୀତି ଫିକା ପଡିଯାଇଥିଲା । ଅନେକ ଆପ୍ ନେତା ଦଳ ଛାଡି ବିଜେପିରେ ସାମିଲ ହୋଇଯାଇଥିଲେ ।

LEAVE A REPLY

Please enter your comment!
Please enter your name here