ଏୟାର ଇଣ୍ଡିଆ ଡ୍ରିମ ଲାଇନରର ସିଟ ନମ୍ବର 11ଏକୁ ନେଇ ଏବେ ଚର୍ଚ୍ଚା । ଦୁର୍ଘଟଣାଗ୍ରସ୍ତ ଏୟାରଇଣ୍ଡିଆ ବିମାନ କ୍ରାସ ହେବା ପରେ ଯେଉଁ ଜଣେ ଯାତ୍ରୀ ଜୀବନ ବଞ୍ଚେଇ ଆସିପାରିଲେ, ସେ ଏହି ସିଟରେ ବସିଥିଲେ । ବିଜିନେସ୍ କ୍ଲାସ ପରେ ଇକୋନୋମି କ୍ଲାସର ଏହି ସିଟରେ ବସିଥିଲେ 40 ବର୍ଷୀୟ ବିଶ୍ବାସ କୁମାର ରମେଶ । ବିଶ୍ବାସ କରିପାରୁନାହାଁନ୍ତି, ସେ କେମିତି ବଞ୍ଚିଲେ । ଭୟଙ୍କର ଶବ୍ଦ । ମୁହୂର୍ତ୍ତକ ମଧ୍ୟରେ କଣ ହୋଇଗଲା, ଭାବିବାକୁ ବି ସମୟ ନ ଥିଲା । ସେ ଭାବୁଥିଲେ ସେ ମୃତ । ମାତ୍ର ଆଖି ଖୋଲି ଦେଖିଲା ବେଳକୁ ସେ ବଞ୍ଚିଛନ୍ତି । ସିଟ୍ ବେଲ୍ଟ ଖୋଲିଲେ, ସେ ବସିଥିବା ସିଟ୍ ପାଖରେ ବାହାରକୁ ଡେଇଁବା ପାଇଁ କିଛି ଖାଲି ଜାଗା ଥିଲା । ମେଡିକାଲ ହଷ୍ଟେଲର ଗ୍ରାଉଣ୍ଡ ଫ୍ଲୋରକୁ ସେ ଡେଇଁ ଧାଇଁବାକୁ ଆରମ୍ଭ କଲେ । କେମିତି ସେ ବଞ୍ଚିଗଲେ, ବିଶ୍ବାସ କରିପାରୁନାହାଁନ୍ତି । ତାଙ୍କ ଭାଇ ବି ତାଙ୍କ ସାଙ୍ଗରେ ଆଉ ଏକ ସିଟରେ ବସିଥିଲା । ରମେଶ ବାହାରକୁ ଚାଲି ଚାଲି ଆସିବା ବିମାନ ଦୁର୍ଘଟଣାର ସବୁଠୁ ବଡ ଚମତ୍କାର ଥିଲା । ଏବେ ତାଙ୍କୁ ଅହମ୍ମଦାବାଦ ସିଭିଲ ହସପିଟାଲରେ ଚିକିତ୍ସା କରାଯାଉଛି ।