ଉପର ମୁଣ୍ଡରେ ପ୍ରବଳ ବର୍ଷା ଯୋଗୁଁ କ୍ରମାଗତ ଭାବରେ ହୀରାକୁଦ ଜଳଭଣ୍ଡାରର ଜଳସ୍ତର ବୃଦ୍ଧି ପାଉଥିବାରୁ ଆଜି ଦିନ ୧୦ଟା ୨୧ ମିନିଟ୍ ସମୟରୁ ଜଳଭଣ୍ଡାରରୁ ଚଳିତ ବର୍ଷର ପ୍ରଥମ ବନ୍ୟାଜଳ ନିଷ୍କାସନ କରାଯାଇଛି । ପ୍ରଥମେ ବିଧିବିଧାନ ଅନୁସାରେ ପୂଜାର୍ଚ୍ଚନା କରାଯିବା ପରେ ହୀରାକୁଦ ଜଳଭଣ୍ଡାରର ବାମପଟେ ଥିବା ୭ ନମ୍ବର ଗେଟ୍ ଯୋଗେ ଚଳିତ ବର୍ଷର ବନ୍ୟାଜଳ ନିଷ୍କାସନ କରାଯାଇଛି। ତେବେ ଜଳନିଷ୍କାସନ ପୂର୍ବରୁ ସତର୍କତା ମୂଳକ ସାଇରାନ ବାଜିଥିଲା। ଏହି ଜଳ ନିଷ୍କାସନ ବେଳେ ହୀରାକୁଦ ଜଳଭଣ୍ଡାର କର୍ତ୍ତୃପକ୍ଷଙ୍କ ସମେତ ଜିଲ୍ଲା ପ୍ରଶାସନର ଅଧିକାରୀମାନେ ମଧ୍ୟ ଉପସ୍ଥିତ ରହିଥିଲେ। ତେବେ ଆଜି ପର୍ଯ୍ୟାୟ କ୍ରମେ ହୀରାକୁଦ ଜଳଭଣ୍ଡାରରୁ ବାମପଟେ ୮ ଗୋଟି ଓ ଡାହାଣ ପଟେ ୪ ଗୋଟି ମୋଟ ୧୨ ଗୋଟି ଗେଟ୍ ଦେଇ ଜଳ ନିଷ୍କାସନ କରାଯିବା ନେଇ ସୂଚନା ମିଳିଛି।
ତେବେ ଆଜି ଦିନ ୯ଟା ୨୫ ମିନିଟ୍ ସୁଦ୍ଧା ଜଳଭଣ୍ଡାର ଜଳସ୍ତର ୬୦୯.୫୪ ଫୁଟ୍ ରହିଛି। ତେବେ ଜଳଭଣ୍ଡାରକୁ ପ୍ରତି ସେକେଣ୍ଡରେ ୨ଲକ୍ଷ ୧ ହଜାର ୩୧୬ କ୍ୟୁସେକ ଜଳ ପ୍ରବେଶ କରୁଥିବା ନେଇ ସୁଚନା ମିଳିଛି।













