ଋଷଠାରୁ ତେଲ କିଣିବା ଜାରି ରଖିଥିବାରୁ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଭାରତ ଉପରେ ୫୦ ପ୍ରତିଶତ ଉତ୍ପାଦ ଶୁଳ୍କ ଲଗାଇଛନ୍ତି । ଏହପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏହାର କଡ଼ା ଜବାବ ଦେଇଛନ୍ତି । ଗୁରୁବାର ଏମ୍.ଏସ୍. ସ୍ୱାମୀନାଥନ ଶତବାର୍ଷିକୀ ଅନ୍ତର୍ଜାତୀୟ ସମ୍ମିଳନୀରେ ସେ ସ୍ପଷ୍ଟ କରିଛନ୍ତି ଯେ ଭାରତ ସବୁବେଳେ ନିଜର ସ୍ୱାର୍ଥକୁ ପ୍ରାଥମିକତା ଦେବ, ଯଦିଓ ଏଥିପାଇଁ ବଡ଼ ମୂଲ୍ୟ ଦେବାକୁ ପଡ଼ିବ ଏଥିପାଇଁ ଆମେ ପ୍ରସ୍ତୁତ ଅଛୁ ।
ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି ଯେ ସେ ଦେଶର କୃଷକମାନଙ୍କ ସହ ଛିଡା ହେବେ ଏବଂ ଆମେରିକାର ଏହି କଠୋର ଶୁଳ୍କର ସାମ୍ନା କରିବେ । ମୋଦୀ କହିଛନ୍ତି “ଆମ ପାଇଁ ଆମର କୃଷକମାନଙ୍କର ସ୍ୱାର୍ଥ ସର୍ବୋପରି,” । ସେ ଆହୁରି ମଧ୍ୟ କହିଛନ୍ତି, “ଭାରତ ଚାଷୀ, ମତ୍ସ୍ୟଜୀବୀ ଏବଂ ଦୁଗ୍ଧ ଚାଷୀଙ୍କ ସ୍ୱାର୍ଥ ସହ କେବେବି ସାଲିସ କରିବ ନାହିଁ ।
ମୋଦୀ ଦୃଢ଼ତାର ସହ କହିଛନ୍ତି, “ମୁଁ ଜାଣେ ଏଥିପାଇଁ ମୋତେ ବ୍ୟକ୍ତିଗତ ଭାବେ ବହୁତ ବଡ଼ ମୂଲ୍ୟ ଦେବାକୁ ପଡିବ ଏବଂ ମୁଁ ଏଥିପାଇଁ ପ୍ରସ୍ତୁତ ଅଛି । ଭାରତ ଏଥିପାଇଁ ପ୍ରସ୍ତୁତ ଅଛି ।” ଟ୍ରମ୍ପ ଭାରତୀୟ ସାମଗ୍ରୀ ଉପରେ ଅତିରିକ୍ତ ୨୫ ପ୍ରତିଶତ ଶୁଳ୍କ ଲଗାଇବା ପରେ ପ୍ରଧାନମନ୍ତ୍ରୀଙ୍କ ଏହି କଡ଼ା ମନ୍ତବ୍ୟ ସାମ୍ନାକୁ ଆସିଛି, ଯାହାଦ୍ୱାରା ମୋଟ ଶୁଳ୍କ ୫୦ ପ୍ରତିଶତକୁ ବୃଦ୍ଧି ପାଇଛି । ଏହା ଆମେରିକା ଦ୍ୱାରା କୌଣସି ଦେଶ ଉପରେ ଲଗାଯାଇଥିବା ସର୍ବାଧିକ ଶୁଳ୍କ । ଋଷଠାରୁ ତେଲ ଏବଂ ସାମରିକ ଉପକରଣ କିଣିବା ନେଇ ଆମେରିକାର ଆପତ୍ତି ସତ୍ତ୍ୱେ ଭାରତ ପଛକୁ ହଟିନଥିବାରୁ ଏହି ପଦକ୍ଷେପକୁ ଏକ ପ୍ରତ୍ୟକ୍ଷ ଦଣ୍ଡ ଭାବରେ ଦେଖାଯାଉଛି ।
ଟ୍ରମ୍ପଙ୍କ ଏହି ଶୁଳ୍କ ଆକ୍ରମଣ ଭାରତ-ଆମେରିକା ସମ୍ପର୍କକୁ ନିକଟ ଅତୀତରେ ସବୁଠାରୁ ନିମ୍ନ ସ୍ତରକୁ ନେଇଯାଇଛି । ଏହା ଉଭୟ ପଟର ରପ୍ତାନିକାରୀ ଏବଂ ଶିଳ୍ପପତିଙ୍କ ମଧ୍ୟରେ ଚିନ୍ତା ବଢ଼ାଇ ଦେଇଛି । ବିଶ୍ଳେଷକମାନେ ଚେତାବନୀ ଦେଇଛନ୍ତି ଯେ ଏହି ଶୁଳ୍କ ଭାରତର ରପ୍ତାନୀରେ ପ୍ରମୁଖ ଯୋଗଦାନକାରୀ ବୟନଶିଳ୍ପ, ଫାର୍ମାସ୍ୟୁଟିକାଲ୍ସ ଏବଂ ପ୍ରକ୍ରିୟାକୃତ ଖାଦ୍ୟ ଭଳି ପ୍ରମୁଖ କ୍ଷେତ୍ରକୁ କ୍ଷତି ପହଞ୍ଚାଇପାରେ । ପ୍ରାରମ୍ଭିକ ୨୫ ପ୍ରତିଶତ ଶୁଳ୍କ ଆଜି(ଅଗଷ୍ଟ ୭)ରୁ ଲାଗୁ ହୋଇଥିବାବେଳେ, ଯଦି ଦୁଇ ପକ୍ଷ କୌଣସି ସମାଧାନରେ ନକରନ୍ତି ତେବେ ଦ୍ୱିତୀୟ ପର୍ଯ୍ୟାୟ ୨୧ ଦିନ ମଧ୍ୟରେ ଲାଗୁ ହେବ ।














