ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଚୀନର ତିଆନଜିନରେ ଚାଲିଥିବା ଏସସିଓ ଶିଖର ସମ୍ମିଳନୀରେ ଯୋଗଦେବାକୁ ପହଞ୍ଚିଛନ୍ତି । ସମ୍ମିଳନୀ ପୂର୍ବରୁ ସେ ଚୀନ ରାଷ୍ଟ୍ରପତି ସି ଜିନପିଙ୍ଗ ସହ ୫୫ ମିନିଟ୍ରୁ ଅଧିକ ସମୟ ଧରି ଆଲୋଚନା କରିଥିଲେ । ଚୀନ ରାଷ୍ଟ୍ରପତି ସି ଜିନପିଙ୍ଗ ସହ ବୈଠକରେ ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି ଯେ, ପୂର୍ବ ବର୍ଷ କଜାନରେ ହୋଇଥିବା ଆଲୋଚନା ଦୁଇ ଦେଶର ସମ୍ପର୍କକୁ ସୁଧାରିଥିଲା । ସୀମାରୁ ସୈନିକ ପ୍ରତ୍ୟାହାର ପରେ ଶାନ୍ତି ଓ ସ୍ଥିରତାର ପରିବେଶ ସୃଷ୍ଟି ହୋଇଛି । ସୀମା ପ୍ରବନ୍ଧନ ସମ୍ବନ୍ଧରେ ପ୍ରତିନିଧିମାନଙ୍କ ମଧ୍ୟରେ ବୁଝାମଣା ସହିତ କୈଳାସ-ମାନସରୋବର ଯାତ୍ରା ପୁନରାରମ୍ଭ ମଧ୍ଯ ହୋଇଛି। ସେଥିସହ ଦୁଇ ଦେଶ ମଧ୍ୟରେ ସିଧା ବିମାନ ଉଡାଣ ମଧ୍ୟ ଆରମ୍ଭ ହୋଇଛି । ଏହି ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି ଆମ ଦୁହିଁଙ୍କ ସହଯୋଗରେ ଦୁଇ ଦେଶର ୨.୮ ବିଲିୟନ ଲୋକଙ୍କ ହିତ ଜଡିତ ରହିଛି । ଏହା ପୂରା ମାନବତାର କଲ୍ୟାଣର ମାର୍ଗ କୁ ବଢ଼ାଇବ। ପରସ୍ପର ବିଶ୍ୱାସ, ସମ୍ମାନ ଓ ସମ୍ବେଦନଶୀଳତା ଆଧାରରେ ସମ୍ବନ୍ଧକୁ ଆଗକୁ ବଢାଇବାକୁ ଆମେ ପ୍ରତିବଦ୍ଧ । ପିଏମ ମୋଦୀଙ୍କ ପରେ ଚୀନ ରାଷ୍ଟ୍ରପତି ଜିନପିଙ୍ଗ କହିଛନ୍ତି ଦୁଇ ଦେଶ ପରସ୍ପର ସହଯୋଗ ପାଇଁ ପ୍ରସ୍ତୁତ ।
ପ୍ରଧାନମନ୍ତ୍ରୀ ମୋଦୀ, ଏସସିଓର ସଫଳ ଅଧ୍ଯକ୍ଷତା ପାଇଁ ଚୀନ ରାଷ୍ଟ୍ରପତି ସି ଜିନପିଙ୍ଗଙ୍କୁ ଅଭିନନ୍ଦନ ଜଣାଇଥିଲେ ଓ ନିମନ୍ତ୍ରଣ ପାଇଁ ଧନ୍ୟବାଦ କରିଥିଲେ । ଜିନପିଙ୍ଗ କହିଲେ, ପିଏମ ମୋଦୀଙ୍କ ସହ ଭେଟିବାରେ ସେ ଖୁସି ଅଟନ୍ତି । ସମ୍ପ୍ରତି ପରିସ୍ଥିତିରେ ଦୁଇ ଦେଶଙ୍କ ସହଯୋଗ ଆବଶ୍ୟକ, ଏବଂ ସେମାନେ ଏକାଠି ମିଶି କାମ କରିବେ । ଜିନପିଙ୍ଗ କହିଛନ୍ତି ଭଲ ପଡୋଶୀ ହେବା ପାଇଁ ଡ୍ରାଗନ ଓ ହାତୀ ଏକାଠି ଆସିବା ଜରୁରୀ । ସେ ଆହୁରି କହିଛନ୍ତି ଯେ, ବିଶ୍ବ ପରିବର୍ତ୍ତନରେ ଅଗ୍ରସର । ଭାରତ ଓ ଚୀନ ସବୁଠାରୁ ଅଧିକ ଜନବହୁଳ ଦେଶ ହେତୁ ସେମାନେ ବନ୍ଧୁ ଓ ଭଲ ପଡୋଶୀ ଭାବରେ ରହିବା ଦରକାର ।














