ବହୁଜନ ସମାଜ ପାର୍ଟି ସାଂସଦ ଡାନିସ ଅଲ୍ଲୀଙ୍କୁ ଗତକାଲି ସଂଧ୍ୟାରେ ସଂସଦରେ ବିଜେପି ସାଂସଦ ରମେଶ ବିଧୁରୀ ଅତି କଦର୍ଯ୍ୟ ଭାଷାରେ ଆକ୍ଷେପ କରିିଥିଲେ । ଏପରିକି ସେ ସାଂସଦ ଡାନିସ ଅଲ୍ଲୀଙ୍କ ପ୍ରତି ଅଶାଳୀନ ଭାଷା ପ୍ରୟୋଗ କରିବାକୁ ମଧ୍ୟ ଭୁଲି ନ ଥିଲେ । ଡାନିସ ଅଲ୍ଲୀ ସଂଖ୍ୟାଲଘୁ ସଂପ୍ରଦାୟର ହୋଇଥିବାରୁ ତାଙ୍କ ପ୍ରତି ବିଜେପି ସାଂସଦ ରମେଶ ବିଧୁରୀ ଯେପରି ଆପତ୍ତିଜନକ ଆକ୍ଷେପ କଲେ, ତାକୁ ସହଜରେ ଗ୍ରହଣ କରିପାରିନାହାଁନ୍ତି ଡାନିସ୍ ଅଲ୍ଲୀ । ଯଦିଓ ଏହି ଘଟଣାକୁ ନେଇ ବାଚସ୍ପତି ଓମ୍ ବିର୍ଲା ସାଂସଦ ବିଧୁରୀଙ୍କୁ କାର୍ଯ୍ଯାନୁଷ୍ଠାନ ଚେତାବନୀ ଦେଇଛନ୍ତି । ଏହି ଘଟଣାକୁ ନେଇ ରାଜନାଥ ସିଂ ଦୁଃଖ ପ୍ରକାଶ କରିଥିବା ବେଳେ ବାଚସ୍ପତି ଓମ ବିର୍ଲାଙ୍କୁ ସାଂସଦ ଡାନିସ୍ ଅଲ୍ଲୀ ତାଙ୍କ ସଂପ୍ରଦାୟ ପ୍ରତି କଟୁ ଆକ୍ଷେପ କରିଥିବା ସାଂସଦ ବିଧୁରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରା ନ ଗଲେ ସେ ସଂସଦ ସଦସ୍ୟତା ପଦରୁ ଓହରି ଯିବା ପାଇଁ ବିଚାର କରିବେ ବୋଲି କହିଛନ୍ତି । ଡାନିସ କହିଛନ୍ତି, ବିଜେପି ସାଂସଦ ବିଧୁରୀଙ୍କ ଆକ୍ଷେପ ତାଙ୍କୁ ଏତେ ଆଘାତ ଦେଇଛି ଯେ, ସେ ରାତି ସାରା ଶୋଇ ପାରିନାହାଁନ୍ତି । ବିଶ୍ବର ସବୁଠୁ ବୃହତ ଗଣତ୍ନ୍ତର ମନ୍ଦିର କୁହାଯାଉଥିବା ସଂସଦ ଭବନ ପରିସରରେ ତାଙ୍କ ସ୍ବାଧୀକାରର ସୁରକ୍ଷା ମିଳି ପାରୁନି, ଏହାଠୁ ଦୁର୍ଭାଗ୍ୟଜନକ ଆଉ କଣ ହୋଇପାରେ ବୋଲି ସେ ପ୍ରଶ୍ନ କରିଛନ୍ତି । ତିନିଥରର ସାଂସଦ ବିଧୁରୀ ଯଦି ଜଣେ ସାଂସଦଙ୍କ ପ୍ରତି ଏଭଳି ମନ୍ତବ୍ୟ ଦେବେ, ତେବେ ସାଧାରଣ ଲୋକଙ୍କ ପ୍ରତି ସେମାନଙ୍କର ଆଭିମୁଖ୍ୟ କଣ ରହିବ ବୋଲି ସେ ପ୍ରଶ୍ନ କରିଛନ୍ତି । ଏହି ପ୍ରସଙ୍ଗକୁ ନେଇ ବିରୋଧୀ ବିଜେପି ସାଂସଦ ବିଧୁରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି ।

LEAVE A REPLY

Please enter your comment!
Please enter your name here