ତାମିଲନାଡୁର କରୁରରେ ବିଜୟଙ୍କ ରାଲିରେ ହୋଇଥିବା ଦଳାଚକଟା ଘଟଣାକୁ ନେଇ ରାଜନୀତି ତିବ୍ର ହୋଇଛି। ଘଟଣା ପରେ ପ୍ରଥମେ ମୁହଁ ଖୋଲି ବିଜୟ କହିଛନ୍ତି ଯେ, ସେଥିରେ ତାଙ୍କ କୌଣସି ଭୁଲ ନାହିଁ। ସେ ମୁଖ୍ୟମନ୍ତ୍ରୀ ଷ୍ଟାଲିନଙ୍କୁ ସିଧାସଳଖ ଚ୍ୟାଲେଞ୍ଜ କରି କହିଛନ୍ତି— “ପ୍ରତିଶୋଧ ନେବାକୁ ଚାହୁଁଥିଲେ, ମୋ କାର୍ଯ୍ୟାଳୟକୁ ଆସନ୍ତୁ।”
ଅଭିନେତା ବିଜୟ ଘଟଣା ଉପରେ ନିଜର ଗଭୀର ଦୁଃଖ ପ୍ରକାଶ କରି ଏକ ଭିଡିଓ ବାର୍ତ୍ତା ଜାରି କରି କହିଛନ୍ତି, “ଆମେ କିଛି ଭୁଲ କରିନାହୁଁ, ତଥାପି ଆମ ବିରୁଦ୍ଧରେ ଏଫଆଇଆର ରୁଜୁ ହୋଇଛି। ଜୀବନରେ କେବେ ଏପରି ଯନ୍ତ୍ରଣାଦାୟକ ପରିସ୍ଥିତିର ସମ୍ମୁଖୀନ ହୋଇନାହିଁ। ମୋର ଶରୀର ଏବଂ ମନ ଚିନ୍ତାରେ ରହିଛି । ହୃଦୟ ଅନେକ ଯନ୍ତ୍ରଣାରେ ରହିଛି ।
କରୁର ଘଟଣାକୁ ନେଇ ପୋଲିସ ବିଜୟଙ୍କ ଦଳର ବରିଷ୍ଠ ନେତା ବସ୍ସି ଏନ. ଆନନ୍ଦ ଓ ସିଟିଆର ନିର୍ମଳ କୁମାରଙ୍କ ବିରୋଧରେ ମାମଲା ରୁଜୁ କରିଛି। ସେ ମୁଖ୍ୟମନ୍ତ୍ରୀ ଏମକେ ଷ୍ଟାଲିନଙ୍କୁ ଚ୍ୟାଲେଞ୍ଜ କରି କହିଛନ୍ତି, ” ମୁଖ୍ୟମନ୍ତ୍ରୀ ସାହେବ ଯଦି ପ୍ରତିଶୋଧ ନେବାକୁ ଚାହୁଁଛନ୍ତି ମୋ ସହିତ କିଛି ବି କରନ୍ତୁ, କିନ୍ତୁ ମୋ ଦଳୀୟ କର୍ମୀଙ୍କୁ ସ୍ପର୍ଶ କରନ୍ତୁ ନାହିଁ।” ମୁଁ ଘରେ ଥିବି ନ ହେଲେ କାର୍ଯ୍ୟାଳୟରେ ଅଛି, ମୋ ସହିତ ଯାହା କରିବାକୁ ଚାହୁଁଛ କରିପାର ।” ବିଜୟ କହିଛନ୍ତି ଯେ ସେ ଦୁର୍ଘଟଣା ଦିନ ହଠାତ୍ କରୁର ଛାଡି ଯାଇ ନ ଥିଲେ କାରଣ ସେ ଲୋକଙ୍କ ସୁରକ୍ଷା ସୁନିଶ୍ଚିତ କରିବାକୁ ଚାହୁଁଥିଲେ । ସେ କହିଛନ୍ତି, ଶୋଭାଯାତ୍ରା କରିବାକୁ ଉପଯୁକ୍ତ ସ୍ଥାନ ବାଛିଥିଲେ ଏବଂ ସୁରକ୍ଷା ପାଇଁ ଅନୁମତି ନେଇଥିଲେ । ଏହା କେମିତି ଘଟିଲା ତାହା କେହି ଜାଣି ନାହାଁନ୍ତି ।














