ତିନି ଦଶନ୍ଧି ପରେ କଟକ ଭାଇଚାରାରେ ନିଆଁ ଲଗେଇବାକୁ ଅପଚେଷ୍ଟା । ଦଶହରା ଭସାଣି ଯାତ୍ରା ବେଳେ କିଛି ମୁସଲମାନ (କଟକ ସହରର ସମସ୍ତ ମୁସଲମାନ ନୁହଁନ୍ତି) ଟେକା ପଥର ପକାଇ ସହରର ଭାଇଚାରାରେ ଦାଗ ଲଗାଇବାକୁ ଚେଷ୍ଟା କରିଥିଲେ । ଯାହାର ଭୟଙ୍କର ପରିଣାମ ସମସ୍ତେ ଦେଖିଲେ । ଦୁଇ ସଂପ୍ରଦାୟର ସାଧାରଣ ନାଗରିକ, ପୋଲିସ ଅଧିକାରୀ ଆହତ ହେଲେ । କଟକ ସହରର କେତେକ ଅଞ୍ଚଳରେ କର୍ଫ୍ୟୁ ଲାଗିଲା । ସୋସିଆଲ ମିଡିଆ ଉପରେ କଟକଣା ଲାଗିଲା । ଇଣ୍ଟରନେଟ୍ ସେବା ବନ୍ଦ କରାଗଲା । ପ୍ରଶ୍ନ ଉଠୁଛି, କଣ ପାଇଁ ଏମିତି ହେଲା । ସାଂପ୍ରଦାୟିକ ସଦଭାବରେ କିଏ ବିଷ ପୁରେଇବାକୁ ଚେଷ୍ଟା କରିଥିଲା ? ଶାନ୍ତି ଶୃଙ୍ଖଳା ଭିତରେ ଦଶହରା ପୂଜା ସଂପୂର୍ଣ୍ଣ କରିବାକୁ କିଏ ଚାହୁଁ ନ ଥିଲା, ଏହାର ଖୋଳତାଡ ହେବା ଦରକାର । କଟକ ଘଟଣା ପାଇଁ ପୁରା ସରକାର ସାରା ଦେଶରେ ବଦନାମ ହେଲେ । ମୁଖ୍ୟମନ୍ତ୍ରୀ ମୋହନ ମାଝୀ ବଦନାମ ହେଲେ । ଆଦିବାସୀ ନେତା ଦୁର୍ବଳ, ସେ ଠିକଣା ଭାବେ ନେତୃତ୍ବ ନେଇ ପାରୁ ନ ଥିବାରୁ ଏମିତି ଘଟଣା ଘଟିଲା ବୋଲି କୁହାଗଲା । ଗୃହ ବିଭାଗକୁ ଠିକ୍ ଭାବେ ସେ କୁଆଡେ ପରିଚାଳନା କରି ପାରୁ ନାହାନ୍ତି । ମାତ୍ର ଏତେ ସବୁ ବଦନାମ ପଛରେ ବଡ ଷଡଯନ୍ତ୍ରର ଗନ୍ଧ ବାହାରୁଛି । ଭସାଣି ଶୋଭାଯାତ୍ରାରେ ଜୟ ଶ୍ରୀରାମ ଧ୍ବନୀ ଦେବାରୁ ସେମାନଙ୍କ ରକ୍ତରେ ନିଆଁ ଲାଗିଗଲା ବୋଲି କୁହାଯାଉଛି । କେହି କେହି ହିନ୍ଦୁ ନିନ୍ଦୁକ କହୁଛନ୍ତି, ଦୁର୍ଗା ମାଙ୍କ ଭସାଣିରେ ଜୟ ଶ୍ରୀରାମ ସ୍ଲୋଗାନ କାହିଁକି ଦିଆଯିବ ? ଏ ଉଦ୍ଭଟ ଯୁକ୍ତି ପଛରେ ବି ସାଂପ୍ରଦାୟିକତାର ଦୁର୍ଗନ୍ଧ ବାହାରୁଛି । ମୁଖ୍ୟମନ୍ତ୍ରୀ ମୋହନ ମାଝୀ ନିଜକୁ ସଶକ୍ତ ପ୍ରମାଣିତ କରିବା ପାଇଁ ହେଲେ ଭାଇଚାରାରେ ନିଆଁ ଲଗେଇଥିବା ଅସଲ ଅପରାଧୀକୁ ଠାବ କରିବା ଦରକାର । ନଚେତ ବଦନାମ ମୁଣ୍ଡେଇବା ପାଇଁ ପ୍ରସ୍ତୁତ ରହିବା ଦରକାର ।















