ଦିଲ୍ଲୀ ଲାଲକିଲ୍ଲା କାର୍ ବିସ୍ଫୋରଣ ପଛରେ ଥିବା ଷଡ଼ଯନ୍ତ୍ରୀକାରୀଙ୍କୁ ଛଡ଼ା ଯିବ ନାହିଁ । ଭୟଙ୍କର ବିସ୍ଫୋରଣ ପରେ ଦକ୍ଷିଣ କାଶ୍ମୀରରେ ପୋଲିସ ୬ ଜଣ ସନ୍ଦିଗ୍ଧକୁ ଅଟକ ରଖିଛି । ଏଥିରେ ହମଲାର ମୁଖ୍ୟ ସନ୍ଦିଗ୍ଧ କୁହାଯାଉଥିବା ଡାକ୍ତର ଉମରଙ୍କ ପରିବାରର ତିନି ଜଣ ସାମିଲ । ଅଭିଯୁକ୍ତ ଡାକ୍ତର ଉମର ଦୁଇ ଅନ୍ୟ ଡାକ୍ତରଙ୍କ ସହ ଯୋଗାଯୋଗରେ ଥିଲେ । ଆଉ ପୋଲିସ ସେମାନଙ୍କୁ ଗିରଫ କରିଛି । ସୁଚନା ଅନୁଯାୟୀ ଯେଉଁ ହ୍ୟୁଣ୍ଡଇ ଆଇ ଟ୍ୱେଣ୍ଟି କାରରେ ହମଲା କରାଯାଇଛି, ତାକୁ ଡ. ଉମର ହିଁ କିଣିଥିଲା । ଏହା ବ୍ୟତୀତ ସିସିଟିଭି ଫୁଟେଜରେ କାରରେ ବସିଥିବା ବ୍ୟକ୍ତିର ଚେହେରା ଉମର ସହ ମେଳ ଖାଉଛି । ଫରିଦାବାଦରେ ଡ. ମୁଜାମ୍ମିଲ ନିକଟରେ ବିପୁଳ ପରିମାଣରେ ଆରଡିଏକ୍ସ ମାମଲାର ତଦନ୍ତ ଆରମ୍ଭ ହେବା ପରଠୁ ଉମର ଗାଏବ ହୋଇ ଯାଇଥିଲା । ପୁଲୱାମାରେ ତାର ଗାଁରେ ରହୁଥିବା ପରିବାରର ତିନି ସଦସ୍ୟଙ୍କ ପୋଲିସ ଅଟକ ରଖିଛି । ପୋଲିସର ସୁଚନା ଅନୁଯାୟୀ, ଫରିଦାବାଦ ମଡ୍ୟୁଲ ସହ ଜଡିତ ଜଣେ ବ୍ୟକ୍ତି କାରରେ ବସିଥିଲା । DNA ଟେଷ୍ଟ ପରେ ହିଁ ସବୁ କିଛି ସାମ୍ନାକୁ ଆସିବ । କାଶ୍ମୀରରେ ଯେଉଁ ୬ ଜଣଙ୍କୁ ଗିରଫ କରାଯାଇଛି ସେଥିରେ ଆମିର ରଶିଦ ମୀର, ଉମର ରଶିଦ ମୀର ଓ ତାରିକ ମଲିକ ସାମଲ । ଆମିର ପ୍ଲମ୍ବର, ଉମର ପାୱାର ଡେଭଲପମେଣ୍ଟ ଡିପାର୍ଟେମେଣ୍ଟରେ ଓ ତାରିକ ମଲିକ ବ୍ୟାଙ୍କରେ ସିକ୍ୟୁରିଟି ଗାର୍ଡ ଭାବେ କାମ କରୁଛି । । ପୋଲିସର ଏକ ସ୍ପେଶାଲ ଟିମ ଏମାନଙ୍କ ଯାଞ୍ଚ ଚଳାଇଛନ୍ତି ।













