ଚାଷୀ ଆନ୍ଦୋଳନକୁ ନେଇ ସୁପ୍ରିମକୋର୍ଟଙ୍କ ରାୟ । ସମସ୍ୟାର ସମାଧାନ ପାଇଁ କେନ୍ଦ୍ର ସରକାର ତୁରନ୍ତ ଚାଷୀ ସଂଗଠନର ପ୍ରତିନିଧିଙ୍କୁ ନେଇ ଏକ କମିଟି ଗଠନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ସୁପ୍ରିମକୋର୍ଟ । ପ୍ରଧାନ ବିଚାରପତି ଏସଏ ବୋବଡେ, ଜଷ୍ଟିସ ଏସ୍. ବୋପାନ୍ନା ଓ ଭି. ରାମସୁବ୍ରମନିୟନଙ୍କୁ ନେଇ ଗଠିତ ଖଣ୍ଡପୀଠ ଏକ ପିଟିସନ ଶୁଣାଣୀ କରି ଏହା କହିଛନ୍ତି । ଆବେଦନକାରୀ ତାଙ୍କ ପିଟିସନରେ ଦିଲ୍ଲୀକୁ ସଂଯୋଗ କରୁଥିବା ସୀମାନ୍ତ ରାସ୍ତାଗୁଡିକୁ ଚାଷୀମାନେ ଅବରୋଧ କରି ରଖିଥିବାରୁ ଯାତାୟତରେ ସମସ୍ୟା ହେଉଛି ଏବଂ ଚାଷୀମାନଙ୍କୁ ତୁରନ୍ତ ରାସ୍ତା ଉପରୁ ହଟାଇବାକୁ ସରକାରଙ୍କୁ ନିର୍ଦ୍ଦେଶ ଦେବାକୁ ଆବେଦନ କରିଥିଲେ । ପୂର୍ବରୁ ସାହିନ ବାଗ୍ ମାମଲାରେ ସର୍ବୋଚ୍ଚ ଅଦାଲତ ଆନ୍ଦୋଳନକାରୀଙ୍କ ରାସ୍ତା ଅବରୋଧକୁ ନିଷେଧ କରିଥିବାରୁ ଚାଷୀ ଆନ୍ଦୋଳନରେ ମଧ୍ୟ ତାହା ଲାଗୁ କରିବାକୁ ଆବେଦନ କରିଥିଲେ । ଆବେଦନର ଶୁଣାଣୀ କରି ସୁପ୍ରିମକୋର୍ଟ ସଲିସିଟର ଜେନେରାଲ ତୁଷାର ମେହେଟ୍ଟାଙ୍କୁ ଚାଷୀ ସମସ୍ୟାର ସମାଧାନ ପାଇଁ ତୁରନ୍ତ ଦେଶର ବିଭିନ୍ନ ଚାଷୀ ସଂଗଠନର ପ୍ରତିନିଧିଙ୍କୁ ନେଇ ଏକ କମିଟି ଗଠନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଆଲୋଚନା ମାଧ୍ୟମରେ ସମସ୍ୟାର ସମାଧାନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ସର୍ବୋଚ୍ଚ ଅଦାଲତ । ଚାଷୀମାନଙ୍କ ସ୍ବାର୍ଥହାନୀ ହେବା ଭଳି କୌଣସି ପଦକ୍ଷେପ ସରକାର ନେଇନାହାଁନ୍ତି ଏବଂ କଥାବାର୍ତ୍ତା ମାଧ୍ୟମରେ ସମସ୍ୟାର ସମାଧାନ କରିବାକୁ ପଦକ୍ଷେପ ନେଉଛନ୍ତି ବୋଲି କହିଛନ୍ତି ସଲିସିଟର ଜେନେରାଲ ତୁଷାର ମେହେଟ୍ଟା । ଆସନ୍ତାକାଲି ଏହି ମାମଲାର ପୁଣି ଶୁଣାଣୀ ହେବ ।

LEAVE A REPLY

Please enter your comment!
Please enter your name here