ଯାଜପୁର ଜିଲା ଅବକାରୀ ବଭାଗ ଓ ଡୋଲିପୁର ଅବକାରୀ ବିଭାଗ ମିଳିତ ଚଢ଼ାଉ କରି ୮୨ ଗ୍ରାମ ହିରୋଇନ ଜବତ କରିଛି,ଯାହାର ମୂଲ୍ୟ ପ୍ରାୟ ୮ ଲକ୍ଷରୁ ଉର୍ଦ୍ଧ ହେବ । ଏହାସହ ଜଡ଼ିତ ୩ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛନ୍ତି । ସୂଚନା ମୁତାବକ ବିଶେଷ ସୂତ୍ରରୁ ଖବର ପାଇ ଅବକାରୀ ବିଭାଗ ପାଣିକୋଇଲି ଥାନା ଜହ୍ନ ଛକ ନିକଟରେ ସୋମବାର ଅପରାହ୍ନରେ ଚଢ଼ାଉ କରିଥିଲେ । ଏହି ସମୟରେ ପାଣିକୋଇଲିରୁ ଯାଜପୁରରୋଡ଼ ଆଡକୁ ଆସୁଥିବା ତିନିଜଣ ଯୁବକଙ୍କୁ ଅଟକାଇଥିଲେ ।ସେମାନଙ୍କ ନିକଟରୁ ୮୨ ଗ୍ରାମ ହିରୋଇନ ଜବତ କରିବା ସହ ଏଥିରେ ବ୍ୟବହୃତ ଏକ ସ୍କୁଟି ନଂ ଓଡି ୩୪ ଏଲ ୮୭୨୭ କୁ ଅଧିକାରୀ ଜବତ କରାଯାଇଛି । ସେମାନେ ଭଦ୍ରକ ଅଞ୍ଚଳରୁ ଏହି ହିରୋଇନ ଯାଜପୁରରୋଡ଼ର ସପଗଡିଆ ଅଞ୍ଚଳରେ ବିକ୍ରି ପାଇଁ ଆଣୁଥିଲେ । ଅଭିଯୁକ୍ତ ମାନେ ହେଲେ ପାଣିକୋଇଲି ଥାନା ଶଙ୍ଖାଚିଲା ଛୋଟରାୟ ପୁର ଗ୍ରାମାର ସନ୍ତୋଷ ଦାସ , ଯାଜପୁରରୋଡ଼ ଥାନା ଗାୟତ୍ରୀ ବିହାରର ଲକ୍ଷ୍ମଣ ସ୍ୱାଇଁ ଓ ଯାଜପୁରରୋଡ଼ ନଟପଦା ଅଞ୍ଚଳର ଜ୍ଞାନରଞ୍ଜନ ସାମଲ । ଅବକାରୀ ବିଭାଗ ପକ୍ଷରୁ ମାମଲା ୠଜୁକରି କୋର୍ଟ ଚାଲାଣ କରାଯାଇଛି । ଏହି ଚଢ଼ାଉରେ ଜିଲା ମୋବାଇଲ ସ୍କୁୱାର୍ଡ ଆଇଆଇସି ନାରାୟଣ ବେହେରା, ଇନ୍ସପେକ୍ଟର ସସ୍ମିତା ହୋତା, ଡୋଲିପୁର ଅବକାରୀ ଅଧିକାରୀ ବିଭୁ ପ୍ରସାଦ ସାହୁ, ଏସ ଆଇ ରାମେଶ୍ୱର ମହାନ୍ତି, ଏଏସ ଆଇ ରମେଶ ନାୟକ, ରଞ୍ଜନ ପାତ୍ର, ରଶ୍ମିରେଖା ଜେନା ଓ ଚଗଲା ମଲିକ ସାମିଲ ହୋଇଥିଲେ ।














