ରାଜ୍ୟର ୩ଟି ଜିଲ୍ଲା କୋର୍ଟକୁ ବୋମାରେ ଉଡ଼ାଇ ଦେବାକୁ ଇ-ମେଲ୍ ମାଧ୍ୟମରେ ଆସିଛି ଧମକ । କଟକ, ସମ୍ବଲପୁର ଏବଂ ଦେବଗଡ଼ ଜିଲ୍ଲା କୋର୍ଟକୁ ଏହି ଧମକପୂର୍ଣ୍ଣ ମେଲ୍ ଆସିବା ପରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି। କୋର୍ଟ ପରିସରକୁ ଖାଲି କରାଯାଇ ବମ୍‌ ସ୍କ୍ୱାର୍ଡ ଓ ଡଗ୍‌ ସ୍କ୍ୱାର୍ଡ ତନତନ କରି ଯାଞ୍ଚ କରୁଛନ୍ତି।
ଅପରାହ୍ଣ ୨ଟା ୪୫ ସୁଦ୍ଧା କୋର୍ଟ ପରିସର ଖାଲି କରିବାକୁ ଇ-ମେଲ୍ ମାଧ୍ୟମରେ ଧମକ ମିଳିଛି। ଏହି ମାମଲାକୁ ଜାଣିବା ପରେ ତୁରନ୍ତ ତଦନ୍ତ ଆରମ୍ଭ କରାଯାଇଛି । ଡିଜିପି କହିଛନ୍ତି, ସମସ୍ତ ୩ଟି କୋର୍ଟରେ ପୁଲିସ ଯାଞ୍ଚ କରୁଛି ଏବଂ ସୁରକ୍ଷା ବ୍ୟବସ୍ଥା ବଢ଼ାଇ ଦିଆଯାଇଛି। ପରିସ୍ଥିତି ଉପରେ କଡା ନଜର ରଖାଯାଇଛି। ଜନସାଧାରଣଙ୍କୁ ଭୟଭୀତ ନ ହୋଇ ତଦନ୍ତରେ ସହାୟତା କରିବାରେ ପୁଲିସକୁ ସହଯୋଗ କରିବାକୁ ପରାମର୍ଶ ଦେଇଛନ୍ତି ଡିଜିପି। ବୋମା ଧମକର ଖବର ପାଇବା ପରେ ମୁଖ୍ୟମନ୍ତ୍ରୀ ତୁରନ୍ତ ମୁଖ୍ୟ ଶାସନ ସଚିବ ଓ ଗୃହ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କୁ ତଦନ୍ତ ନର୍ଦ୍ଦେଶ ଦେଇଛନ୍ତି । ସମ୍ପୃକ୍ତ ଅପରାଧୀଙ୍କୁ ଖୋଜି ବାହାର କରିବା ସହିତ ପରିସ୍ଥିତି ଉପରେ ତୀକ୍ଷ୍‌ଣ ନଜର ରଖିବାକୁ ମୁଖ୍ୟମନ୍ତ୍ରୀ ନର୍ଦ୍ଦେଶ ଦେଇଛନ୍ତି। ଏଥିସହିତ ଆଜି ସନ୍ଧ୍ୟାରେ ଏ ସମ୍ପର୍କରେ ଏକ ଉଚ୍ଚସ୍ତରୀୟ ବୈଠକ ମଧ୍ୟ ଡାକିଛନ୍ତି। ମୁଖ୍ୟମନ୍ତ୍ରୀ କହିଛନ୍ତି ସାଧାରଣ ଲୋକଙ୍କ ଧନଜୀବନର ସୁରକ୍ଷା କ୍ଷେତ୍ରରେ କୌଣସି କୋହଳ ମନୋଭାବ ପୋଷଣ କରାଯାଇପାରିବ ନାହିଁ। ଏହି ଘଟଣାକୁ ଅତ୍ୟନ୍ତ ଗମ୍ଭୀରତାର ସହ ନେଇ ତଦନ୍ତ କରିବା ସହିତ ସମ୍ପୃକ୍ତ ସ୍ଥାନ ମାନଙ୍କୁ ଅଧିକାରୀମାନଙ୍କୁ ପଠାଇ ଏ ସମ୍ପର୍କରେ ତଥ୍ୟ ସଂଗ୍ରହ କରି ଏହି ଘଟଣାର ମୂଳ ଉଦ୍ଦେଶ୍ୟକୁ ଜାଣିବା ଅତ୍ୟନ୍ତ ଆବଶ୍ୟକ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ।

LEAVE A REPLY

Please enter your comment!
Please enter your name here