ଶେଷରେ ଏସିଆ କପ୍‌ ଟାଇଟଲ ପାଇଁ  ଭାରତ ଓ ବାଂଲାଦେଶ ଫାଇନାଲ ମ୍ୟାଚ୍ ରେ ମୁହାଁମୁହିଁ ହେବାକୁ ଯାଉଛନ୍ତି. ତେବେ ଏହି ମ୍ୟାଚ୍ ପୂର୍ବରୁ ବାଂଲାଦେଶକୁ ଏକ ଝଟକା ଲାଗିଛି. ଖେଳାଳୀଙ୍କ  ଆଘାତ ଜନିତ ସମସ୍ୟା ଯୋଗୁଁ ବାଂଲାଦେଶ ନିଜ ମନୋବଳକୁ ଦୃଢ ରଖିବା ସହ ଭଲ ପ୍ରଦର୍ଶନ କରିବାକୁ ଚେଷ୍ଟା କରିବ. ବୁଧବାର ଲାଗିଥିବା ଆଘାତ ଯୋଗୁଁ କେତେକ ପ୍ରମୁଖ ଖେଳାଳିଙ୍କ ଅନୁପସ୍ଥିତି ସତ୍ତ୍ୱେ ବାଂଲାଦେଶ ପାକିସ୍ତାନକୁ 37 ରନରେ ପରାସ୍ତ କରି ଫାଇନାଲକୁ ପ୍ରବେଶ କରିଥିଲା. ଅନ୍ୟପଟେ ବାଂଲାଦେଶ ତୃତୀୟଥର ପାଇଁ ଚାମ୍ପିୟନ ହେବା ଲକ୍ଷ୍ୟରେ ରହିଛି. ଗତ କିଛି ବର୍ଷ ମଧ୍ୟରେ ଭାରତ ଓ ବାଂଲାଦେଶ ମଧ୍ୟରେ କ୍ରିକେଟ ପ୍ରତିଦ୍ୱନ୍ଦ୍ୱୀତାରେ ଯଥେଷ୍ଟ ଉନ୍ନତି ଘଟିଛି. ବାଂଲାଦେଶ ମଧ୍ୟ ଏକ ଶକ୍ତିଶାଳୀ ଦଳ ରୂପେ ଉଭା ହୋଇଛି. ଏପରିସ୍ଥଳେ ବାଂଲଦେଶକୁ ଭାରତ ଆଦୌ ହାଲକା ଭାବେ ନେବ ନାହିଁ. ହେଲେ ଆଘାତ ଜନିତ ସମସ୍ୟା ବାଂଲାଦେଶ ପାଇଁ ଚିନ୍ତାର କାରଣ ପାଲଟିଛି. ଦଳରୁ ଦୁଇ ଅଭିଜ୍ଞ ଖେଳାଳି ବାଦ୍‌ ପଡିଛନ୍ତି.  ଷ୍ଟାର ବ୍ୟାଟ୍ସମ୍ୟାନ ତାମିମ ଇକ୍‌ବାଲଙ୍କ ହାତ ଭାଙ୍ଗିବା ଓ ଅଲରାଉଣ୍ଡର ସାକିବ- ଅଲ- ହାସନଙ୍କ ଆଙ୍ଗୁଳି ଭାଙ୍ଗିବା କାରଣରୁ ଟୁର୍ନାମେଣ୍ଟରୁ ବାଦ୍‌ ପଡିଛନ୍ତି.  ଅପରପକ୍ଷରେ ଭାରତ ପାଇଁ ଏହି ନିର୍ଣ୍ଣୟ ଏକ ଭିନ୍ନ ପ୍ରକାର ଚ୍ୟାଲେଞ୍ଜ୍‌ ସୃଷ୍ଟି କରିଛି. ତେବେ ଅଧିନାୟକ ବିରାଟ କୋହଲିଙ୍କ ଅନୁପସ୍ଥିତିରେ ଯଦି ଭାରତ ଟାଇଟଲ ହାସଲ କରୁଛି ତାହାଲେ ଏହା  ଭାରତ ପାଇଁ ଏକ ବଡ଼ ସଫଳତା ସାବ୍ୟସ୍ତ ହେବ ଓ ଆଗାମୀ ବିଶ୍ୱକପ୍‌ ପୂର୍ବରୁ ଭାରତର ପ୍ରସ୍ତୁତିକୁ ଦୁଇପାଦ ଆଗକୁ ନେବ.  ଆଫଗାନିସ୍ତାନ ବିପକ୍ଷ ସୁପର -4 ପର୍ଯ୍ୟାୟର ଅନ୍ତିମ ମ୍ୟାଚ୍‌ରେ ଭାରତୀୟ ଦଳର 5 ଜଣ ଖେଳାଳିଙ୍କୁ ବିଶ୍ରାମ ଦେଇଥିଲା. ଅଧିନାୟକ ରୋହିତ ଶର୍ମା ଓ ଶିଖର ଧାୱନଙ୍କୁ ନେଇ ଗଠିତ ଭାରତୀୟ ଓପନିଂ ଯୋଡି ପୁଣି ଥରେ କମାଲ କରିବା ଆଶା କାରଯାଉଛି. ସେହିପରି ଯଶପ୍ରୀତ ବୁମରା, ଭୁବନେଶ୍ୱର କୁମାର ଓ ୟୁଜବେନ୍ଦ୍ର ଚହଲ ମଧ୍ୟ ବୋଲିଂରେ ଦମ୍‌ ଦେଖାଇ ବାଂଲାଦେଶ ବ୍ୟାଟ୍ସମ୍ୟାନଙ୍କୁ ଚକ୍‌ମା ଦେବେ ବୋଲି ଆଶା କରାଯାଉଛି.  ତେବେ ସଂପୂର୍ଣ୍ଣ ଖେଳ ରୋହିତ ଓ ଧାୱନଙ୍କ ଉପରେ ନିର୍ଭର କରୁଛି. ଅମ୍ବାତି ରାୟୁଡୁ ଭଲ ଖେଳୁଥିଲେ ମଧ୍ୟ ମ୍ୟାଚ୍‌ ଫିନିସ୍‌ କରିବାରେ ବିଫଳ ହୋଇଛନ୍ତି.  ସେହିପରି ଅଭିଜ୍ଞ ମହେନ୍ଦ୍ର ସିଂ ଧୋନୀ ଓ କେଦାର ଯାଦବ ମିଡଲ ଓଭରରେ ସଂଘର୍ଷ କରୁଥିବା ଲକ୍ଷ୍ୟ କରାଯାଉଛି. ଗତ ଆଫଗାନିସ୍ତାନ ବିପକ୍ଷ ମ୍ୟାଚ୍‌ରେ ଓପନିଂ ଯୋଡି ଲୋକେଶ ରାହୁଲ ଓ ରାୟୁଡୁଙ୍କ ଶତକୀୟ ଭାଗୀଦାରି ସତ୍ତ୍ୱେ ଭାରତୀୟ ମିଡଲ ଅର୍ଡର ସଫଳ ପ୍ରଦର୍ଶନ କରିପାରି ନ ଥିଲା. ତେଣୁ ଧୋନୀ 4 ନମ୍ବରରେ ବ୍ୟାଟିଂ କରିବେ ଓ ଅଧିକ ବଲ୍ ର ସମ୍ମୁଖୀନ ହୋଇ ବଡ଼ ସ୍କୋର କରିବା ଆଶା କରାଯାଉଛି. ଦିନିକିଆ ଫର୍ମାଟରେ ବାଂଲାଦେଶର ବୋଲିଂ ବେଶ ଶକ୍ତିଶାଳୀ ମନେ ହେଉଛି. ତେବେ ସାକିବଙ୍କ ଅନୁପସ୍ଥିତି ଦଳ ପାଇଁ ମହଙ୍ଗା ସାବ୍ୟସ୍ତ ହେଇପାରେ. ତେବେ ଏହି ଫାଇନାଲ ମ୍ୟାଚ୍‌ ବେଶ ରୋମାଞ୍ଚକର ହେବ ବୋଲି ସାଧାରଣରେ ଆଲୋଚନା ହେଉଛି.

 

LEAVE A REPLY

Please enter your comment!
Please enter your name here