ତାମିଲନାଡୁରେ ବିଜେପି ରାଜ୍ୟର କ୍ଷମତାରେ ନିଜର ସ୍ଥିତି ମଜବୁତ କରିବା ପାଇଁ ଅଭିନେତାରୁ ବିଜୟଙ୍କ ପାର୍ଟି ଟିଭିକେକୁ ମେଣ୍ଟର ଖୁଲା ଅଫର ଦେଇଛନ୍ତି । ସୂଚନା ଅନୁଯାୟୀ ବିଜେପି ବିଜୟଙ୍କ ଆଗରେ ଉପମୁଖ୍ୟମନ୍ତ୍ରୀ ପଦର ପ୍ରସ୍ତାବ ରଖିଛି। ଇଣ୍ଡିଆ ଟୁଡେ ନିଜର ଏକ ରିପୋର୍ଟରେ କହିଛି ଯେ, ପାର୍ଟି ମେଣ୍ଟ ଆଧାରରେ ଟିଭିକେକୁ ୮୦ ସିଟ୍ ଦେବାକୁ ପ୍ରସ୍ତାବ ଦେଇଛି । ବିଜେପି ପାର୍ଟି ହାଇକମାଣ୍ଡଙ୍କ ମତରେ ଯଦି ବିଜୟଙ୍କ ପ୍ରଶଂସକଙ୍କ ଭୋଟ୍ ଏନଡିଏ ସହିତ ଯୋଡି ହୋଇଯାଏ ତେବେ ରାଜ୍ୟର ନିର୍ବାଚନ ଫଳାଫଳ ସଂପୂର୍ଣ୍ଣ ଭାବେ ବଦଳିପାରେ। ବିଜୟଙ୍କ ଲୋକପ୍ରିୟତାକୁ ଦେଖି ବିଜେପି ତାଙ୍କୁ ନିଜ ସପକ୍ଷରେ ଟାଣିବା ପାଇଁ ବଡ ଗୋଟି ଚାଳନା କରିଛି ।କୁହାଯାଉ ଅଛି ଯେ, ଏହି ମେଣ୍ଟ ପାଇଁ ଅନ୍ୟ ଏକ ରାଜ୍ୟର ଉପମୁଖ୍ୟମନ୍ତ୍ରୀ ମଧ୍ୟସ୍ଥତା ଭୂମିକା ନିର୍ବାହ କରୁଛନ୍ତି, ଯହା ଦ୍ୱାରା ବିଜୟଙ୍କ ସହିତ ଆଲୋଚନାର ଦ୍ୱାର ଖୋଲିବ । ବିଜୟଙ୍କ ନିକଟତମ ପରାମର୍ଶଦାତାଙ୍କ ମଧ୍ୟରେ ଏହି ମେଣ୍ଟକୁ ନେଇ ଚିନ୍ତା ବଢ଼ିଛି । ପରାମର୍ଶଦାତାଙ୍କ ମତରେ ଏତେ ଶୀଘ୍ର କୌଣସି ଜାତୀୟ ଦଳ ସହ ମେଣ୍ଟ କଲେ ତାଙ୍କ ନୂଆ ଏବଂ ଭିନ୍ନ ରାଜନୀତିର ଛବି ମଳିନ ପଡିପାରେ ।













