ପାକିସ୍ତାନ ପକ୍ଷରୁ ଭାରତ ପାଇଁ ଆକ୍ରମଣାତ୍ମକ ବୟାନବାଜି କରାଯାଇଛି। ପାକିସ୍ତାନର ପ୍ରତିରକ୍ଷା ମନ୍ତ୍ରୀ ଖ୍ୱାଜା ଆସିଫ୍ ଦାବି କରିଛନ୍ତି ଯେ ତାଙ୍କ ସେନା ବିଗତ ବର୍ଷ ଭାରତ ବିରୋଧରେ ଲଢ଼େଇରେ ବିଜୟ ହାସଲ କରିଥିଲା ଏବଂ ଆଗକୁ ମଧ୍ୟ ଲଢ଼ିବାକୁ ପ୍ରସ୍ତୁତ ଅଛି। ଏକ ଟିଭି କାର୍ଯ୍ୟକ୍ରମରେ ଖ୍ୱାଜା ଆସିଫ୍ କହିଛନ୍ତି ଯେ, ‘ଭାରତ ବିଗତ ବର୍ଷ ଆମ ଉପରେ ଆକ୍ରମଣ କରିଥିଲା ଏବଂ ଯଦି ସେମାନେ ପୁଣି ଚେଷ୍ଟା କରିବେ ତେବେ ସେମାନଙ୍କୁ ଗତ ବର୍ଷ ଅପେକ୍ଷା ବଡ଼ ଅପମାନ ସହିବାକୁ ପଡ଼ିବ। ଏଥର ମୁହାଁମୁହିଁ ପରିସ୍ଥିତି ୨୦୦ ରୁ ୨୫୦ କିଲୋମିଟର ମଧ୍ୟରେ ସୀମିତ ରହିବ ନାହିଁ। ଆମେ ସେମାନଙ୍କ ଅଞ୍ଚଳ ଭିତରକୁ ପଶିବୁ ଏବଂ ଭିତରେ ପଶି ସେମାନଙ୍କୁ ମାରିବୁ।’ ଖ୍ୱାଜା ଆସିଫ୍‌ଙ୍କ ଏହି ମନ୍ତବ୍ୟ ଭାରତର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହଙ୍କ ବୟାନ ପରେ ଆସିଛି। ରାଜନାଥ ସିଂହ ନିକଟରେ କେରଳରେ ‘ଅପରେସନ୍ ସିନ୍ଦୂର’ ର ଉଲ୍ଲେଖ କରିଥିଲେ। ରାଜନାଥ ସିଂହ କହିଥିଲେ ଯେ ପାକିସ୍ତାନ ପକ୍ଷରୁ କରାଯାଇଥିବା କୌଣସି ବି ଦୁଃସାହସ ଏକ ଅଭୂତପୂର୍ବ ଏବଂ ନିର୍ଣ୍ଣାୟକ ଜବାବକୁ ନିମନ୍ତ୍ରଣ ଦେବ। ପାକିସ୍ତାନ ଏବଂ ଭାରତର ସମ୍ପର୍କ ବିଗତ ବର୍ଷ ପରଠାରୁ ଅଧିକ ଖରାପ ରହିଛି । ଏହାର ଆରମ୍ଭ ୨୨ ଏପ୍ରିଲର ପହଲଗାମ ଆତଙ୍କବାଦୀ ଆକ୍ରମଣ କାରଣରୁ ହୋଇଥିଲା। ପହଲଗାମ ଆତଙ୍କବାଦୀ ଆକ୍ରମଣ ପରେ ଭାରତ କଠୋର ଆଭିମୁଖ୍ୟ ଦେଖାଇ ମେ’ ମାସରେ ପାକିସ୍ତାନ ବିରୋଧରେ ‘ଅପରେସନ୍ ସିନ୍ଦୂର’ ଅଧୀନରେ ବିମାନ ଆକ୍ରମଣ କରିଥିଲା।ପାକିସ୍ତାନ ପକ୍ଷରୁ ମଧ୍ୟ ପାଲଟା ଆକ୍ରମଣ କରାଯାଇଥିଲା ଏବଂ ଚାରି ଦିନ ପର୍ଯ୍ୟନ୍ତ ଦୁଇ ଦେଶ ମଧ୍ୟରେ ଯୁଦ୍ଧ ଭଳି ପରିସ୍ଥିତି ଲାଗି ରହିଥିଲା। ୧୦ ମେ’ ରେ ଉଭୟ ପକ୍ଷ ଅସ୍ତ୍ରବିରତି ପାଇଁ ସହମତ ହୋଇଥିଲେ।

LEAVE A REPLY

Please enter your comment!
Please enter your name here