ପଶ୍ଚିମ ଓଡ଼ିଶାରେ BEd ସାର୍ଟିଫିକେଟ ରାକେଟର ପର୍ଦ୍ଦାଫାସ ହୋଇଛି । ଟଙ୍କା ଦେଇ ଆନ୍ଧ୍ରା BEd ସାର୍ଟିଫିକେଟ ବିକ୍ରି ହେଉଛି। ପ୍ରାୟ ୩୦୦ ଛାତ୍ରଛାତ୍ରୀ ଏବେ ଟଙ୍କା ଦେଇ ଫସିଛନ୍ତି । ସାଇବର ଥାନାରେ କିଛି ଛାତ୍ରଛାତ୍ରୀଙ୍କ ଅଭିଯୋଗ ପରେ ୨ ଜଣଙ୍କୁ ଗିରଫ କରିଛି ଝାରସୁଗୁଡ଼ା ପୋଲିସ । ଏଥିରେ ଜଣେ ମହିଳା ରୀମାରାଣୀ ଦାସ ଏବଂ ଜଣେ ପୁରୁଷ ଚିତ୍ତରଞ୍ଜନ ବାରିକ ରହିଛନ୍ତି । ଚିତ୍ତରଞ୍ଜନ ବାରିକ ଓ ରୀମା ଦାସ ସମ୍ବଲପୁର ଜ୍ୟୋତିବିହାର-ବୁର୍ଲା ଅଞ୍ଚଳରେ ୱାନ ୱାର୍ଲଡ ଏକାଡେମୀ ନାମରେ ଏକ ଅଫିସ୍ ଖୋଲି ଛାତ୍ରଛାତ୍ରୀଙ୍କୁ ଆନ୍ଧ୍ର ପ୍ରଦେଶର ଆଚାର୍ଯ୍ୟ ନାଗାର୍ଜୁନ ବିଶ୍ୱବିଦ୍ୟାଳୟରୁ BEd ସାର୍ଟିଫିକେଟ୍ କରାଇ ଦେବାକୁ କହୁଥିଲେ। ବିଜ୍ଞାପନ ଜରିଆରେ ଭରସା ଦେଇ ଆଶାୟୀଙ୍କୁ ଫସାଉଥିଲେ । ପ୍ରବେଶ ଫି’ ନାମରେ ୫୦ ହଜାରରୁ ଅଧିକ ଟଙ୍କା ଆଦାୟ କରି ରସିଦ ଦେଉଥିଲେ। ପରେ ସାର୍ଟିଫିକେଟ୍ ଦେବେ ବୋଲି କହିଥିଲେ । କିନ୍ତୁ ସାର୍ଟିଫିକେଟ୍ ଆଉ ମିଳିନଥିଲା । ଝାରସୁଗୁଡ଼ାର ଓରିଏଣ୍ଟ ଥାନା ଅଞ୍ଚଳର ପ୍ରୀତିରାଣୀ ପଣ୍ଡା ଅଭିଯୋଗ କରି କହିଛନ୍ତି ଯେ ୨୦୨୫ ଜୁଲାଇରେ ୫୫ ହଜାର ଟଙ୍କା ଦେଇଥିଲେ। ରସିଦ ମିଳିଥିଲା ଓ ଆଡମିସନ ହୋଇଥିବା କୁହାଯାଇଥିଲା। କିନ୍ତୁ ପରେ ପରୀକ୍ଷା ସମୟରେ ଆଡମିସନ ହୋଇନଥିବା କହି ଟଙ୍କା ଫେରାଇବାକୁ ମନା କରାଯାଇଥିଲା । ଏ ନେଇ ଗତ ୨୩ ତାରିଖରେ ଝାରସୁଗୁଡ଼ା ସାଇବର ଥାନାର ଦ୍ୱାରସ୍ଥ ହୋଇଥିଲେ । ଅଭିଯୋଗ ପାଇବା ପରେ ଝାରସୁଗୁଡ଼ା ସାଇବର ଥାନା ପୋଲିସ୍ ତଦନ୍ତ ଆରମ୍ଭ କରିଥିଲା ଓ ଦୁଇ ଅଭିଯୁକ୍ତଙ୍କୁ ଗିରଫ କରିଛି ପୋଲିସ। ଏହି ଠକେଇର ପଶ୍ଚିମ ଓଡ଼ିଶାର ୬ଟି ଜିଲ୍ଲା ସହ ଜଡିତ ଅଛି। ପୋଲିସ୍ ତଦନ୍ତ ଜାରି ରଖିଛି। ଏଥିରେ ଆଉ କିଏ ସାମିଲ ଅଛନ୍ତି ତାହା ତଦନ୍ତ ପରେ ସ୍ପଷ୍ଟ ହେବ।
















