କଟକ: ଏସ୍ ସି ଵି ମେଡିକାଲର ସ୍ତ୍ରୀ ଓ ପ୍ରସୂତି ରୋଗ ବିଭାଗରୁ ୧୬ ଜଣ ଶିଶୁ ନିଖୋଜ ହେବା ଘଟଣାର ତଦନ୍ତ ଆରମ୍ଭ ହୋଇଛି। ୨୦୧୯ରୁ ୨୦୨୬ ମଧ୍ୟରେ ଅସହାୟ ଓ ମାନସିକ ବିକାରଗ୍ରସ୍ତ ମହିଳାଙ୍କଠାରୁ ଜନ୍ମିତ ୧୬ ଶିଶୁଙ୍କର ଖୋଜଖବର ମିଳୁନାହିଁ। ସୂଚନା ଅଧିକାର ଆଇନ (RTI) ବଳରେ ସ୍ୱେଚ୍ଛାସେବୀମାନେ ଏହି ସାଂଘାତିକ ତଥ୍ୟ ଉଜାଗର କରିଛନ୍ତି। ମେଡିକାଲ ତଥ୍ୟ ଅନୁସାରେ ୨ ଶିଶୁଙ୍କ ମୃତ୍ୟୁ ହୋଇଥିବା ବେଳେ ବାକି ୧୪ ଜଣଙ୍କ ସମ୍ପର୍କରେ କୌଣସି ସୂଚନା ନାହିଁ। କେନ୍ଦ୍ରାଞ୍ଚଳ ଆର ଡି ସି ଏହି ଘଟଣାକୁ ଗୁରୁତ୍ୱର ସହ ଗ୍ରହଣ କରି ଏସ୍ ସି ଵି ଅଧିକ୍ଷକଙ୍କୁ ଚିଠି ଲେଖିଛନ୍ତି। ପୂରା ଘଟଣାର ତଦନ୍ତ କରି ଏକ ଆକ୍ସନ ଟେକେନ ରିପୋର୍ଟ ଦେବାକୁ ନିର୍ଦ୍ଦେଶ ଦିଆଯାଇଛି। ଅନ୍ୟପଟେ କଟକ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ପ୍ରଗତି ମହାନ୍ତି ମେଡିକାଲରେ ପହଞ୍ଚି ନଥିପତ୍ର ଯାଞ୍ଚ କରିଛନ୍ତି। ଶିଶୁମାନଙ୍କୁ କାହାକୁ ହସ୍ତାନ୍ତର କରାଯାଇଛି ଏବଂ ସେମାନେ ଏବେ କେଉଁଠି ଅଛନ୍ତି, ସେ ନେଇ ସବିଶେଷ ତଥ୍ୟ ମଗାଯାଇଛି। ସ୍ୱେଚ୍ଛାସେବୀ ଅଚ୍ୟୁତ ସାହୁ ଏବଂ ଦୀପକ ଆଚାର୍ଯ୍ୟ ସୂଚନା ଅଧିକାର ଆଇନ ବଳରେ ଏହି ରହସ୍ୟଜନକ ଘଟଣାକୁ ଲୋକଲୋଚନକୁ ଆଣିଥିଲେ। ୨୦୧୯ରୁ ୨୦୨୬ ମସିହା ମଧ୍ୟରେ ଏହି ଅସହାୟ ମହିଳାମାନେ ଜନ୍ମ ଦେଇଥିବା ଶିଶୁମାନେ କୁଆଡ଼େ ଗଲେ, ତାକୁ ନେଇ ସେମାନେ ମୁଖ୍ୟ ଶାସନ ସଚିବ, ସ୍ୱାସ୍ଥ୍ୟ ମନ୍ତ୍ରୀ ଏବଂ ଜିଲ୍ଲାପାଳଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ମେଡିକାଲ କର୍ତ୍ତୃପକ୍ଷଙ୍କ ପାଖରେ ଏହି ଶିଶୁମାନଙ୍କର କୌଣସି ସନ୍ତୋଷଜନକ ଉତ୍ତର ନଥିବା ସେମାନେ ଅଭିଯୋଗ କରିଛନ୍ତି। ତଦନ୍ତ ପ୍ରକ୍ରିୟା ଆରମ୍ଭ ହୋଇଥିଲେ ମଧ୍ୟ ସ୍ୱେଚ୍ଛାସେବୀମାନେ ଏହାକୁ ନେଇ ସନ୍ଦେହ ପ୍ରକାଶ କରିଛନ୍ତି।














