ଭୁବନେଶ୍ୱର: ଆସନ୍ତା ଜୁଲାଇ ୧ରୁ ରାଜ୍ୟରେ (SIR) ବା ସ୍ୱତନ୍ତ୍ର ସଘନ ସଂଶୋଧନ କାର୍ଯ୍ୟକ୍ରମ ଆରମ୍ଭ ହେବ। ନିର୍ବାଚନ ଆୟୋଗ ଓଡ଼ିଶା ସମେତ ୧୬ଟି ରାଜ୍ୟ ଓ ୩ଟି କେନ୍ଦ୍ରଶାସିତ ଅଂଚଳରେ ଭୋଟର ତାଲିକାର ତୃତୀୟ ପର୍ଯ୍ୟାୟ ଏସଆଇଆର କାର୍ଯ୍ୟକ୍ରମ ଆରମ୍ଭ ନିମନ୍ତେ ନିର୍ଦ୍ଦେଶ ଦେଇଛନ୍ତି।ଏବେ ଜନଗଣନା ପାଇଁ ଚାଲିଥିବା ଘର ଗଣନା(House Listing) ପ୍ରକ୍ରିୟା ସହ ସମନ୍ୱୟ ରକ୍ଷା କରି ଏହି SIR ନିମନ୍ତେ ନିର୍ବାଚନ ଆୟୋଗଙ୍କ ଦ୍ୱାରା କାର୍ଯ୍ୟସୂଚୀ ନିର୍ଦ୍ଧାରଣ କରାଯାଇଛି। କେବଳ ପ୍ରତିକୂଳ ପାଣିପାଗ ଓ ଜନଗଣନାର ସ୍ଥିତିକୁ ଦୃଷ୍ଟିରେ ରଖି ହିମାଚଳ ପ୍ରଦେଶ, ଜମ୍ମୁ କାଶ୍ମୀର ଓ ଲଦାଖକୁ ଏହି ପର୍ଯ୍ୟାୟରୁ ବାଦ୍ ଦିଆଯାଇଥିବାବେଳେ ଓଡ଼ିଶାରେ ଏହି ଏସଆଇଆର ପ୍ରକ୍ରିୟାକୁ ବ୍ୟାପକସ୍ତରରେ କରିବା ନିମନ୍ତେ ପ୍ରାୟ ୩୮ହଜାରରୁ ଅଧିକ ବିଏଲଓ ଘରକୁ ଘର ଯାଇ ଯାଂଚ କରିବେ ବୋଲି ଜଣାପଡ଼ିଛି। ନିର୍ବାଚନ ଆୟୋଗ(Election Commission)ଙ୍କ ଦ୍ୱାରା ଓଡ଼ିଶାରେ ଏହି ଏସଆଇଆର ନିମନ୍ତେ କାର୍ଯ୍ୟସୂଚୀ ଘୋଷଣା କରାଯାଇଛି। ଚଳିତ ମଇ ମାସ ୨୦ରୁ ୨୯ ତାରିଖ ମଧ୍ୟରେ କ୍ଷେତ୍ର କର୍ମଚାରୀଙ୍କୁ ପ୍ରଶିକ୍ଷଣ ଓ ଆନୁଷଙ୍ଗିକ ମୁଦ୍ରଣ କାର୍ଯ୍ୟ ଶେଷ କରାଯିବ। ମଇ ୩୦ରୁ ଜୁନ ୨୮ ତାରିଖ ପର୍ଯ୍ୟନ୍ତ ବିଏଲଓମାନେ ଘରକୁ ଘର ପରିଦର୍ଶନ କରି ତଥ୍ୟ ଯାଂଚ କରିବା ସହ ଜୁନ ୨୮ ସୁଦ୍ଧା ମତଦାନ କେନ୍ଦ୍ରଗୁଡିକର ଯୁକ୍ତିସଙ୍ଗତ ପୁନର୍ବିନ୍ୟାସ କାର୍ଯ୍ୟ ଶେଷ ହେବ। ଜୁଲାଇ ୫ ତାରିଖରେ ଡ୍ରାଫ୍ଟ ଭୋଟର ତାଲିକା ପ୍ରକାଶ ପାଇବ ଓ ଜୁଲାଇ ୫ରୁ ଅଗଷ୍ଟ ୪ତାରିଖ ପର୍ଯ୍ୟନ୍ତ ନାଗରିକମାନେ ସେମାନଙ୍କର ଦାବି କିମ୍ବା ଆପତ୍ତିି ଦାଖଲ କରିପାରିବେ। ଜୁଲାଇ ୫ରୁ ସେପ୍ଟେମ୍ବର ୨ ତାରିଖ ସୁଦ୍ଧା ସମସ୍ତ ଆପତ୍ତି ଉପରେ ନିଷ୍ପତ୍ତି ନିଆଯିବ ଓ ସେପ୍ଟେମ୍ବର ୬ତାରିଖରେ ରାଜ୍ୟରେ ଚୂଡ଼ାନ୍ତ ଭୋଟର ତାଲିକା ପ୍ରକାଶିତ ହେବ ବୋଲି କାର୍ଯ୍ୟସୂଚୀ ଚୂଡ଼ାନ୍ତ ହୋଇଛି।










