ଭୁବନେଶ୍ୱର: ଓଡିଶାରେ ଅପପୁଷ୍ଟି ବିରୋଧରେ ଏକ ବଡ ପଦକ୍ଷେପ ନିଆଯାଇଛି l ରାଜ୍ୟ ସରକାର କମ ଓଜନର ଶିଶୁଙ୍କ ଜଳଖିଆ ବାବଦ ଖର୍ଚ୍ଚକୁ ବୃଦ୍ଧି କରିଛନ୍ତି l ଅତିଶୟ କମ ଓଜନ ଶିଶୁଙ୍କ ଦୈନିକ ଖାଦ୍ୟ ଖର୍ଚ୍ଚ ୮ ଟଙ୍କାରୁ ୧୮ ଟଙ୍କାକୁ ବୃଦ୍ଧି କରାଯାଇଛି । ସେହିପରି ଅଙ୍ଗନୱାଡ଼ି ପ୍ରାକ୍ ବିଦ୍ୟାଳୟ ଶିଶୁଙ୍କ ସକାଳ ଜଳଖିଆ ଖର୍ଚ୍ଚ ମଧ୍ୟ ବୃଦ୍ଧି କରାଯାଇଛି । ଏହି ଖର୍ଚ୍ଚ ମୁଣ୍ଡ ପିଛା ଦୈନିକ ୩.୫୬ ଟଙ୍କାକୁ ବୃଦ୍ଧି ପାଇଛି । ଏ ବାବଦରେ ୧୩୭ କୋଟି ୫୭ ଲକ୍ଷ ଟଙ୍କାର ଅତିରିକ୍ତ ଖର୍ଚ୍ଚ ଅନୁମୋଦିତ ହେଇଛି । ମଙ୍ଗଳବାର ମହିଳା ଓ ଶିଶୁ ବିକାଶ ବିଭାଗର ସମ୍ମିଳନୀ କକ୍ଷରେ ଶିଶୁ ଜୀବନର ପ୍ରଥମ ୧୦୦୦ ଦିନ ପୋଷଣ ଉପରେ ଆଧାରିତ ଏକ ଡିଜିଟାଲ ବୁକଲେଟ୍ ଉନ୍ମୋଚନ କରି ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ଏହି ସୂଚନା ଦେଇଛନ୍ତି l ଏହି ବୁକଲେଟରେ ମା’ ପେଟରେ ୨୭୦ ଦିନ ଏବଂ ଜନ୍ମ ଦୁଇ ବର୍ଷ ପର୍ଯ୍ୟନ୍ତ ଶିଶୁର ପୋଷଣର ପୁରା ତଥ୍ୟ ରହିଛି l ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା କହିଛନ୍ତି, ‘ମା’ମାନେ ଏହି ବୁକଲେଟ ଜରିଆରେ ସଚେତନ ହେଲେ ପ୍ରସବ ଜନିତ ସମସ୍ୟା ହଟିବ । ଯାହାଦ୍ୱାରା ଓଡିଶାକୁ ୨୦୩୬ ସୁଦ୍ଧା ପୋଷଣ ମୁକ୍ତ କରିବାରେ ସହାୟକ ହେବ l ଅପପୁଷ୍ଟି ମୁକ୍ତ ଓଡିଶା ଗଠନ ପାଇଁ ବିଭାଗ ମିଶନ ମୋଡରେ କାମ କରୁଛି l’
Edit












