କଟକ: ଜାତୀୟ ଡାକ୍ତର ଦିବସରେ କଳା ବ୍ୟାଜ୍ ପିନ୍ଧି ଡାକ୍ତରମାନେ ପ୍ରତିବାଦ କରିଛନ୍ତି । କଟକ SCB ମେଡିକାଲ କଲେଜ ଏବଂ ହସ୍ପିଟାଲ (SCBMCH)ର ଜୁନିଅର ଡାକ୍ତର ସଂଘ (JDA) ଓଡ଼ିଶା ମେଡିକାଲ ସର୍ଭିସେସ୍ ଆସୋସିଏସନ୍ (OMSA)ର ସମର୍ଥନରେ ନିଜର ନ୍ୟାୟ ପାଇଁ ପ୍ରତିବାଦ କରିଛି । ସରକାର ସମସ୍ୟାର ସମାଧାନ ନକଲେ ଆଗକୁ କାର୍ଯ୍ୟବନ୍ଦ ଆନ୍ଦୋଳନ ହେବ ବୋଲି ଚେତାବନୀ ଦେଇଛି ଏସସିବି JDA । SCBରେ 1000ରୁ ଅଧିକ ଜୁନିୟର ଡାକ୍ତର କଳା ବ୍ୟାଜ୍ ପିନ୍ଧି OMSAର ଆନ୍ଦୋଳନକୁ ସମର୍ଥନ ଜଣାଇଛନ୍ତି । ତେବେ OMSA 10-ସୂତ୍ରୀ ଦାବି ପୂରଣକୁ ନେଇ ଅନିର୍ଦ୍ଧିଷ୍ଟ କାଳ ପର୍ଯ୍ୟନ୍ତ ରାଜ୍ୟବ୍ୟାପୀ ଆନ୍ଦୋଳନ ଚାଲିଥିବା ବେଳେ ପୂର୍ବରୁ ସରକାରୀ ଡାକ୍ତରଖାନାରେ ଘଣ୍ଟାଏ ଲେଖାଁ ଓପିଡି ମଧ୍ୟ ବନ୍ଦ କରାଯାଇଥିଲା । ଏନେଇ JDA ଆଜିଠୁ କଳା ବ୍ୟାଜ୍ ପରିଧାନ କରିଛନ୍ତି । SCB ଜୁନିଅର ଡାକ୍ତର ସଂଘର ସଭାପତି ଡାକ୍ତର ଚିନ୍ମୟ ପ୍ରଧାନ କହିଛନ୍ତି, “ପୂର୍ବରୁ ଯେତେବେଳେ ଆମେ ପ୍ରତିବାଦ କରିଥିଲୁ, ସରକାର ଆମକୁ ପ୍ରତିଶ୍ରୁତି ଦେଇଥିଲେ ଯେ, ଆମର ଦାବି ପୂରଣ କରାଯିବ । କିନ୍ତୁ, ସରକାର ଏପର୍ଯ୍ୟନ୍ତ ଗୋଟିଏ ହେଲେ ଦାବି ପୂରଣ କରିନାହାନ୍ତି । ପ୍ରତିଶ୍ରୁତି ପାଳନ କରିନାହାନ୍ତି । ଛଅ ମାସ ବିତିଗଲାଣି କିନ୍ତୁ କୌଣସି ପଦକ୍ଷେପ ନିଆଯାଇନାହିଁ । ସରକାର ସେମାନଙ୍କର ପ୍ରତିଶ୍ରୁତି ପାଳନ କରିବାରେ ବିଫଳ ହୋଇଥିବାରୁ SCBMCHର ସମସ୍ତ ଜୁନିଅର ଡାକ୍ତର କଳାପଟି ପିନ୍ଧି ପ୍ରତିବାଦ କରୁଛନ୍ତି ।”

LEAVE A REPLY

Please enter your comment!
Please enter your name here