ମୁମ୍ବାଇ: ବରିଷ୍ଠ ଅଭିନେତା ପ୍ରଦୀପ ରାୱତଙ୍କ ୭୪ ବର୍ଷ ବୟସରେ ପରଲୋକ ଘଟିଛି । ପ୍ରଦୀପଙ୍କ ମୃତ୍ୟୁ ନେଇ ତାଙ୍କ ମ୍ୟାନେଜର ସୂଚନା ଦେଇଛନ୍ତି । ତାଙ୍କ ମ୍ୟାନେଜର କହିଛନ୍ତି ପ୍ରଦୀପ ପାଞ୍ଚ ବର୍ଷ ହେବ ରକ୍ତ କର୍କଟ ରୋଗରେ ପୀଡିତ ଥିଲେ । ଚିକିତ୍ସା ପରେ ତାଙ୍କ ସ୍ୱାସ୍ଥ୍ୟରେ ଉନ୍ନତି ହୋଇଥିଲା । କିନ୍ତୁ କିଛି ମାସ ପୂର୍ବେ ପୁଣି ଥରେ କର୍କଟ ରୋଗରେ ପୀଡ଼ିତ ହୋଇଥିଲେ । ସେ ଗତ ଦୁଇ ମାସ ଧରି ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ ଏବଂ ଗତ କିଛି ଦିନ ଧରି ତାଙ୍କ ସ୍ୱାସ୍ଥ୍ୟରେ ଅବନତି ହୋଇଥିଲା । ମଙ୍ଗଳବାର ସନ୍ଧ୍ୟାରେ ସେ ଶେଷ ନିଃଶ୍ୱାସ ତ୍ୟାଗ କରିଥିଲେ । ପ୍ରଦୀପ ରାୱତ ବି.ଆର.ଚୋପ୍ରାଙ୍କ ଟିଭି ଶୋ’ ମହାଭାରତରେ ଅଶ୍ୱତ୍ଥାମା ଭୂମିକାରେ ଅଭିନୟ କରି ତାଙ୍କର ଅଭିନୟ ଜୀବନ ଆରମ୍ଭ କରିଥିଲେ । ପରବର୍ତ୍ତୀ ସମୟରେ ସେ ହିନ୍ଦୀ, ତେଲୁଗୁ, ତାମିଲ, କନ୍ନଡ, ମାଲାୟଲମ, ବଙ୍ଗାଳୀ ଏବଂ ଭୋଜପୁରୀ ଚଳଚ୍ଚିତ୍ରରେ କାମ କରିଥିଲେ । ହିନ୍ଦୀ ସିନେମାରେ, ସେ ଲଗାନ, ସରଫରୋଶ, ଗଜନୀ, ବୈଜୁ ବାୱରା, ଆୱାରାପାନ ଏବଂ ଗ୍ରାଣ୍ଡ ମସ୍ତି ଭଳି ଚଳଚ୍ଚିତ୍ରରେ ଅଭିନୟ କରିଥିଲେ । ତାଙ୍କର ପରଲୋକ ଖବର ପ୍ରକାଶ ପରେ ଅନେକ ବଡ଼ ବଡ଼ ଅଭିନେତା ଶୋକ ପ୍ରକାଶ କରିଛନ୍ତି l













