ଭୁବନେଶ୍ୱର: ଚଳିତମାସ ୨୯ତାରିଖରେ ଭୁବନେଶ୍ୱରରେ ୨୮ତମ ପୂର୍ବାଂଚଳ ଜୋନାଲ ପରିଷଦ ବୈଠକ ଅନୁଷ୍ଠିତ ହେବ। କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ୍ ଶାହଙ୍କ ଅଧ୍ୟକ୍ଷତାରେ ହେବାକୁ ଥିବା ଏହି ଦିନିକିଆ ବୈଠକରେ ଓଡ଼ିଶା ସମେତ ବିହାର, ଝାଡ଼ଖଣ୍ଡ ଓ ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ, ମୁଖ୍ୟ ସଚିବ ଓ ବରିଷ୍ଠ ଅଧିକାରୀମାନେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି।ସୂଚନା ଅନୁସାରେ,ଏହି ପୂର୍ବାଂଚଳ ଜୋନାଲ ପରିଷଦ ବୈଠକରେ ଯୋଗ ଦେବା ପାଇଁ କେନ୍ଦ୍ର କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହ ୨୮ତାରିଖରେ ଓଡ଼ିଶାରେ ଆସିବେ। ୨୯ତାରିଖରେ ପୂର୍ବାଂଚଳ ଜୋନାଲ ପରିଷଦ ବୈଠକରେ ଅଧ୍ୟକ୍ଷତା କରିବେ। କେନ୍ଦ୍ର ଗୃହ ମନ୍ତ୍ରଣାଳୟ ଅଧୀନସ୍ଥ ଆନ୍ତଃରାଜ୍ୟ ପରିଷଦ ସଚିବାଳୟ ଓ ଓଡ଼ିଶା ସରକାରଙ୍କ ମିଳିତ ସହଯୋଗରେ ଏହି ବୈଠକ ଆୟୋଜନ କରାଯାଉଛି। ଏହି ବୈଠକରେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ୍‌, ବିହାର ମୁଖ୍ୟମନ୍ତ୍ରୀ ସମ୍ରାଟ ଚୌଧୁରୀ ଓ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ଶୁଭେନ୍ଦୁ ଅଧିକାରୀ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି। ଏହି ୪ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସମେତ ସମ୍ପୃକ୍ତ ରାଜ୍ୟଗୁଡ଼ିକର ମୁଖ୍ୟ ସଚିବ, ବରିଷ୍ଠ ମନ୍ତ୍ରୀ, କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବହୁ ଉଚ୍ଚପଦସ୍ଥ ଅଧିକାରୀମାନେ ଏହି ଆଲୋଚନାରେ ସାମିଲ ହେବେ ବୋଲି ଜଣାପଡ଼ିଛି। ଏହି ଦିନିକିଆ ବୈଠକରେ ଜାତୀୟ ତଥା ଆଂଚଳିକସ୍ତରର ବହୁ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉପରେ ବିସ୍ତୃତ ଭାବେ ବିଚାରବିମର୍ଶ ହେବାର କାର୍ଯ୍ୟକ୍ରମ ରହିଛି। ବିଶେଷକରି ମହିଳା ଓ ଶିଶୁମାନଙ୍କ ବିରୋଧରେ ହେଉଥିବା ଦୁଷ୍କର୍ମ ଭଳି ଜଘନ୍ୟ ଅପରାଧର ତ୍ୱରିତ ବିଚାର ଓ ଶୀଘ୍ର ଫଇସଲା ପାଇଁ ‘ଫାଷ୍ଟ ଟ୍ରାକ୍ ସ୍ୱତନ୍ତ୍ର ଅଦାଲତ’ଗୁଡ଼ିକର କାର୍ଯ୍ୟକାରିତା ଉପରେ ବିଶେଷ ଗୁରୁତ୍ୱ ଦିଆଯିବ। ଏହାବ୍ୟତୀତ ନିର୍ଦ୍ଦିଷ୍ଟ ପରିଧି ମଧ୍ୟରେ ବ୍ୟାଙ୍କ ଶାଖା ପ୍ରତିଷ୍ଠା କରି ଗ୍ରାମାଂଚଳ ବ୍ୟାଙ୍କିଙ୍ଗ ସେବାକୁ ସୁଦୃଢ଼ କରିବା ଓ ଜରୁରୀକାଳୀନ ସହାୟତା ବ୍ୟବସ୍ଥା ‘ଇଆରଏସଏସ-୧୧୨’ର ସଫଳ ରୂପାୟନ ନେଇ ଆଲୋଚନା ହେବ।ଏହି ବୈଠକରେ ସମ୍ପୃକ୍ତ ଚାରି ରାଜ୍ୟର ସାମୂହିକ ସ୍ୱାର୍ଥ ଜଡ଼ିତ ବିଭିନ୍ନ ବିକାଶମୂଳକ ପ୍ରସଙ୍ଗ ଯଥା ପୁଷ୍ଟିସାଧନ, ଶିକ୍ଷା, ସ୍ୱାସ୍ଥ୍ୟ, ବିଦ୍ୟୁତ ଶକ୍ତି, ସହରାଂଚଳ ଯୋଜନା ଓ ସମବାୟ ବ୍ୟବସ୍ଥାକୁ ଅଧିକ ମଜବୁତ କରିବା ଦିଗରେ ମଧ୍ୟ ରଣନୀତି ପ୍ରସ୍ତୁତ କରାଯିବ। ଗତ ୨୦୨୪ ମସିହା ବୈଠକରେ ମସାନଜୋର ଡ୍ୟାମ୍‌, ତୈୟବପୁର ବ୍ୟାରେଜ୍ ଓ ଇନ୍ଦ୍ରପୁରୀ ଜଳଭଣ୍ଡାର ଭଳି ଦୀର୍ଘଦିନ ଧରି ପଡ଼ି ରହିଥିବା ଜଟିଳ ଆନ୍ତଃରାଜ୍ୟ ଜଳ ବିବାଦ ଉପରେ ବିସ୍ତୃତ ଆଲୋଚନା ହେବ ବୋଲି ଜଣାପଡ଼ିଛି।

LEAVE A REPLY

Please enter your comment!
Please enter your name here