ଭୁବନେଶ୍ୱର: ଭୁବନେଶ୍ୱର ମହିଳା ଥାନାରୁ ଫେରାର ହୋଇଯାଇଥିବା ଅଭିଯୁକ୍ତ ରୁଦ୍ର ପ୍ରସାଦ ସୂତାରକୁ କ୍ୟାପିଟାଲ ଥାନା ପୋଲିସ ଟିମ୍ ବେଙ୍ଗାଳୁରୁରୁ ଗିରଫ କରିଛି । ସେଠାକାର ସ୍ଥାନୀୟ କୋର୍ଟରେ ରୁଦ୍ରକୁ ହାଜର କରିଥିଲା ପୋଲିସ । ଏହାପରେ କୋର୍ଟଙ୍କ ଠାରୁ ଟ୍ରାଞ୍ଜିଟ୍ ରିମାଣ୍ଡରେ ତାକୁ ଅଣାଯାଇଛି । ଆଜି ଅଭିଯୁକ୍ତ ରୁଦ୍ରକୁ କୋର୍ଟଚାଲାଣ କରାଯିବା ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି । ଏନେଇ କ୍ୟାପିଟାଲ ଥାନା ଅଧିକାରୀ ରାଧାକାନ୍ତ ସାହୁ କହିଛନ୍ତି, ଆମେ ଅଭିଯୁକ୍ତ ରୁଦ୍ରକୁ ଗିରଫ କରି ମହିଳା ଥାନାକୁ ହସ୍ତାନ୍ତର କରିଛୁ । ମହିଳା ଥାନା ପକ୍ଷରୁ ଦୁଷ୍କର୍ମ ମାମଲାରେ ରୁଦ୍ରକୁ କୋର୍ଟଚାଲାଣ କରାଯିବ । ପରେ ଫେରାର ନେଇ ରୁଜୁ ହୋଇଥିବା ମାମଲାରେ କ୍ୟାପିଟାଲ ଥାନା ପକ୍ଷରୁ ତାକୁ ରିମାଣ୍ଡ ଦିଆଯିବ ବୋଲି ଥାନାଧିକାରୀ କହିଛନ୍ତି । ସୂଚନା ଥାଉ ଯେ, ରୁଦ୍ର ଜଣେ ମହିଳାଙ୍କୁ ବିବାହ କରିବାର ପ୍ରତିଶ୍ରୁତି ଦେଇ ଶାରୀରିକ ସମ୍ପର୍କ ରଖିଥିଲା । ମାତ୍ର ପରେ ସେ ମହିଳାଙ୍କୁ ଧୋକା ଦେଇଥିଲା । ଏନେଇ ପୀଡ଼ିତା ଜଣକ ମହିଳା ଥାନାର ଦ୍ବାରସ୍ଥ ହୋଇଥିଲେ । ପୋଲିସ ମାମଲା ରୁଜୁ କରିବା ସହ ରୁଦ୍ରକୁ ଅଗଷ୍ଟ ୧ ରାତିରେ ଭଦ୍ରକରୁ ଗିରଫ କରିଥିଲା । ଅଗଷ୍ଟ ୨ (ରବିବାର) ଦିନ ତାକୁ କୋର୍ଟଚାଲାଣ କରାଯିବ ବୋଲି ପ୍ରସ୍ତୁତି ଚାଲିଥିଲା । ୨ ତାରିଖ ସକାଳ ସାଢ଼େ ୮ଟା ସମୟରେ ରୁଦ୍ର ଟଏଲେଟ୍ ଯିବାକୁ କହି ଅଚାନକ ପାଇଖାନାରୁ ବାହାରି ଦୌଡ଼ି ପଳାଇଥିଲା । ମହିଳା ଥାନା ପକ୍ଷରୁ ଏନେଇ କ୍ୟାପିଟାଲ ଥାନାରେ ଅଭିଯୋଗ କରାଯାଇଥିଲା ।











