ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ମୋହନ ଚରଣ ମାଝୀ ‘ଘରେ ଘରେ ତ୍ରିରଙ୍ଗା’ ଅଭିଯାନର ଐତିହାସିକ ଶୁଭାରମ୍ଭ କରିଛନ୍ତି । ଏହି ଅବସରରେ ଅଗଷ୍ଟ ୯ ରୁ ୧୭ ତାରିଖ ପର୍ଯ୍ୟନ୍ତ ରାଜ୍ୟର ପ୍ରତ୍ୟେକ ଗ୍ରାମ, ପଞ୍ଚାୟତ, ସହର, ଘର, ବିଦ୍ୟାଳୟ ଓ କାର୍ଯ୍ୟାଳୟରେ ଗୌରବର ସହ ଜାତୀୟ ପତାକା ଉଡ଼ାଇବାକୁ ମୁଖ୍ଯମନ୍ତ୍ରୀ ସାଢ଼େ ଚାରି କୋଟି ଓଡ଼ିଶାବାସୀଙ୍କୁ ନିବେଦନ କରିଛନ୍ତି। ନିଜ ଅଭିଭାଷଣରେ ମୁଖ୍ୟମନ୍ତ୍ରୀ କହିଛନ୍ତି , ୧୯୪୨ ଅଗଷ୍ଟ ୯ ରେ ଆରମ୍ଭ ହୋଇଥିବା ‘ଭାରତ ଛାଡ଼’ ଆନ୍ଦୋଳନ ସ୍ୱାଧୀନତା ସଂଗ୍ରାମକୁ ନୂଆ ଦିଗଦର୍ଶନ ଦେଇଥିଲା। ଜାତୀୟ ପତାକା ‘ତ୍ରିରଙ୍ଗା’ କେବଳ ତିନୋଟି ରଙ୍ଗର ସମାହାର ନୁହେଁ, ବରଂ ଏହା ୧୪୦ କୋଟି ଭାରତୀୟଙ୍କ ସ୍ୱାଭିମାନ, ଗୌରବ ଓ ଆକାଂକ୍ଷାର ପ୍ରତୀକ। କେଶରୀ ରଙ୍ଗ ସାହସ ଓ ତ୍ୟାଗ, ଶ୍ୱେତ ରଙ୍ଗ ଶାନ୍ତି ଓ ସତ୍ୟ, ସବୁଜ ରଙ୍ଗ ସମୃଦ୍ଧି ଏବଂ ମଝିରେ ଥିବା ଅଶୋକ ଚକ୍ର ନିରନ୍ତର କର୍ତ୍ତବ୍ୟପଥରେ ଆଗେଇ ଚାଲିବାର ଶିକ୍ଷା ଦିଏ। ଏହି ଅବସରରେ ଏକ ପଦଯାତ୍ରା ଆୟୋଜିତ ହୋଇଥିଲା। ଜାତୀୟ ଉତ୍ସବକୁ ସମ୍ପୂର୍ଣ୍ଣ ପରିବେଶ-ଅନୁକୂଳ କରିବା ପାଇଁ ପ୍ଲାଷ୍ଟିକ୍ ପତାକାକୁ ସମ୍ପୂର୍ଣ୍ଣ ବର୍ଜନ କରି କେବଳ କପଡ଼ା ପତାକା ବ୍ୟବହାର କରିବାକୁ ମୁଖ୍ୟମନ୍ତ୍ରୀ ଦୃଢ଼ ଆହ୍ୱାନ ଦେଇଛନ୍ତି। ହି ସମାରୋହରେ ଉପମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ କନକ ବର୍ଦ୍ଧନ ସିଂହଦେଓ, ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡ଼ା, ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ଶ୍ରୀଯୁକ୍ତ ସୁରେଶ ପୂଜାରୀ, ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ଶ୍ରୀଯୁକ୍ତ ବିଭୂତି ଭୂଷଣ ଜେନା, ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ଶ୍ରୀଯୁକ୍ତ ନିତ୍ୟାନନ୍ଦ ଗଣ୍ଡ ଏବଂ ଉଚ୍ଚଶିକ୍ଷା, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ତଥା କ୍ରୀଡ଼ା ଓ ଯୁବସେବା ମନ୍ତ୍ରୀ ଶ୍ରୀଯୁକ୍ତ ସୂର୍ଯ୍ୟବଂଶୀ ସୂରଜ ପ୍ରମୁଖ ଥିଲେ।









