ଭୁବନେଶ୍ୱର: ଓଡ଼ିଶାର ୬ଟି ଜିଲ୍ଲାର ସରକାରୀ ଜମିରେ ଗଞ୍ଜେଇ ଚାଷକୁ ରୋକିବା ପାଇଁ ରାଜ୍ୟ ସରକାର ନିଜର ପ୍ରୟାସକୁ ଜୋରଦାର କରିଛନ୍ତି। ଏଣିକି ସରକାରୀ ଜମିରେ ଗଞ୍ଜେଇ ଚାଷ ହେଲେ ହେବ କଡା ଆକ୍ସନ। ମାଲକାନଗିରି, କୋରାପୁଟ, ରାୟଗଡ଼ା, କନ୍ଧମାଳ, ବୌଦ୍ଧ, ଗଜପତି ଜିଲ୍ଲାପାଳଙ୍କୁ ଚିଠି ଲେଖିଲେ ରାଜସ୍ୱ ସଚିବ । ରାଜସ୍ୱ ଅଧିକାରୀଙ୍କୁ ସଜାଗ ରହିବାକୁ ନିର୍ଦ୍ଦେଶ ଦେଇଛନ୍ତି ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଡାକ୍ତର ଅରବିନ୍ଦ କୁମାର ପାଢ଼ୀ । ୨୦୨୫-୨୬ ଫସଲ ଋତୁରେ ଓଡ଼ିଶା ପୋଲିସ ଏହି ୬ଟି ଜିଲ୍ଲାର ୪୧ଟି ଥାନା ଅଧୀନରେ ଥିବା ୧,୬୩୧ଟି ଜିପିଏସ୍-ମ୍ୟାପ୍ ପ୍ଲଟ୍ ରେ ପ୍ରାୟ ୩୬,୫୦୮.୭୯୨ ଏକର ଗଞ୍ଜେଇ ଚାଷ ନଷ୍ଟ କରିଥିଲା। ଏଥିମଧ୍ୟରୁ ୬,୬୩୨.୧୯୭ ଏକର ସରକାରୀ ରାଜସ୍ୱ ଜମି ଭାବରେ ଚିହ୍ନଟ କରାଯାଇଥିଲା। ନଭେମ୍ବର ୨୦୨୫ ରୁ ମାର୍ଚ୍ଚ ୨୦୨୬ ମଧ୍ୟରେ ନଷ୍ଟ କରାଯାଇଥିବା ଏହି ଗଞ୍ଜେଇ ଚାଷ ସ୍ଥାନଗୁଡ଼ିକର ଜିପିଏସ୍ (GPS) ତଥ୍ୟ ପୋଲିସ କର୍ତ୍ତୃପକ୍ଷ ରାଜସ୍ୱ ବିଭାଗ ସହିତ ଅଂଶୀଦାର କରିଛନ୍ତି। ଏହି ତଥ୍ୟ ଆଧାରରେ ବିଭାଗ ପକ୍ଷରୁ ଉକ୍ତ ପ୍ଲଟ୍ଗୁଡ଼ିକ ଉପରେ କ୍ରମାଗତ ନଜର ରଖାଯିବ। ନୂତନ ଫସଲ ଋତୁ ଆରମ୍ଭ ହୋଇସାରିଥିବାରୁ, ପୂର୍ବରୁ ଗଞ୍ଜେଇ ଚାଷ ଚିହ୍ନଟ ହୋଇ ନଷ୍ଟ ହୋଇଥିବା ପ୍ଲଟଗୁଡ଼ିକ ଉପରେ ସ୍ୱତନ୍ତ୍ର ଦୃଷ୍ଟି ଦେବାକୁ ଅଧିକାରୀମାନଙ୍କୁ କୁହାଯାଇଛି। ତହସିଲଦାର, ଅତିରିକ୍ତ ତହସିଲଦାର, ରାଜସ୍ୱ ନିରୀକ୍ଷକ (RI) ଏବଂ ରାଜସ୍ୱ ସୁପରଭାଇଜରମାନଙ୍କୁ ମିଳିତ ଭାବେ କାମ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ବେଆଇନ ଚାଷ ଦେଖିବା ମାତ୍ରେ ସ୍ଥାନୀୟ ପୋଲିସ, ସ୍ୱତନ୍ତ୍ର ଟାସ୍କ ଫୋର୍ସ (STF) କିମ୍ବା ଆଣ୍ଟି-ନାର୍କୋଟିକ୍ସ ଟାସ୍କ ଫୋର୍ସ (ANTF) କୁ ତୁରନ୍ତ ସୂଚନା ଦେବାକୁ କୁହାଯାଇଛି। ଡାକ୍ତର ପାଢ଼ୀ ସ୍ପଷ୍ଟ କରିଛନ୍ତି ଯେ, ଗଞ୍ଜେଇ ଚାଷରେ ସମ୍ପୃକ୍ତ ବ୍ୟକ୍ତି କିମ୍ବା ମାଫିଆଙ୍କୁ ସହଯୋଗ କରୁଥିବା ରାଜସ୍ୱ ଅଧିକାରୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।

LEAVE A REPLY

Please enter your comment!
Please enter your name here