ଭୁବନେଶ୍ୱର: ନବୀନ ନିବାସରେ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ବିଜେଡିର ରାଜନୈତିକ ବ୍ୟାପାର କମିଟି ବୈଠକ ଅନୁଷ୍ଠିତ ହୋଇଛି l ବୈଠକ ପରେ ପ୍ରମିଳା ମଲ୍ଲିକ ରାଜ୍ୟର ବିଜେପି ସରକାରଙ୍କୁ କଡ଼ା ସମାଲୋଚନା କରିଛନ୍ତି। ସେ କହିଛନ୍ତି ଯେ, ବିଜେଡି ସରକାର ସମୟରେ ଭାଗଚାଷୀମାନେ ସୁବିଧାରେ ପଞ୍ଜୀକରଣ କରୁଥିଲେ କିନ୍ତୁ ବର୍ତ୍ତମାନର ସରକାର ଭାଗଚାଷୀଙ୍କ ସେହି ଅଧିକାରକୁ ଛଡ଼ାଇ ନେଇଛନ୍ତି। ସରକାର ଚାହୁଁନାହାନ୍ତି ଯେ ଚାଷୀମାନେ ଅଧିକ ଅମଳ କରନ୍ତୁ। ତେଣୁ ପୂର୍ବଭଳି ସହଜରେ ଭାଗଚାଷୀଙ୍କ ପଞ୍ଜୀକରଣ ବ୍ୟବସ୍ଥା କରାଯାଉ ବୋଲି ସେ ଦାବି କରିଛନ୍ତି।ସେହିପରି ଗତ ସରକାର ସମୟରେ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ (SHG) ଗୁଡ଼ିକୁ ଧାନ କିଣିବାର ସୁଯୋଗ ମିଳିଥିଲା, ମାତ୍ର ବର୍ତ୍ତମାନର ସରକାର ୫୮୦ରୁ ଅଧିକ ଏସଏଚଜିଙ୍କୁ ବନ୍ଦ କରିଦେଇଛନ୍ତି। ଏହି ନିଷ୍ପତ୍ତିକୁ ଦଳ ପକ୍ଷରୁ ଦୃଢ଼ ବିରୋଧ କରାଯିବ ଏବଂ ସମସ୍ୟାର ସମଧାନ ନହେଲେ ରାଜରାସ୍ତାକୁ ଓହ୍ଲାଯିବ ବୋଲି ଶ୍ରୀମତୀ ମଲ୍ଲିକ ଚେତାବନୀ ଦେଇଛନ୍ତି। ବୈଠକରେ ରାଜ୍ୟର ଚାଷୀ ସମସ୍ୟା, ଏମଏମଡିଆର ସଂଶୋଧନ ବିଲ୍ ଏବଂ ପାଠ୍ୟପୁସ୍ତକରେ ତ୍ରୁଟି ଭଳି ପ୍ରସଙ୍ଗକୁ ନେଇ ବ୍ୟାପକ ଆଲୋଚନା ହୋଇଛି।ବୈଠକରେ ନବୀନ ପଟ୍ଟନାୟକ ସ୍ପଷ୍ଟ କରିଛନ୍ତି ଯେ, ଓଡ଼ିଶାର ସ୍ୱାର୍ଥ ପ୍ରତି କୌଣସି ଆଞ୍ଚ ଆସିଲେ ବିଜୁ ଜନତା ଦଳ ଚୁପ୍ ବସିବ ନାହିଁ। ରାଜ୍ୟର ସ୍ୱାର୍ଥ ରକ୍ଷା ପାଇଁ ଦଳ କଡ଼ା ଲଢ଼େଇ ଜାରି ରଖିବ। ଆବଶ୍ୟକତା ପଡିଲେ ଦଳ ସରକାରଙ୍କୁ ବିରୋଧ କରି ରାଜରାସ୍ତାକୁ ଓହ୍ଲାଇବ ବୋଲି ବିଜେଡି ପକ୍ଷରୁ ଚେତାବନୀ ଦିଆଯାଇଛି l










