ନୂଆଦିଲ୍ଲୀ:ପାନ ମସଲା ପାଇଁ ବିଜ୍ଞାପନ କରିବା ଅଭିଯୋଗରେ ଏଫଡିଏ ଶାହରୁଖ ଖାନ, ଅଜୟ ଦେବଗନ ଏବଂ ଟାଇଗର ଶ୍ରଫଙ୍କୁ କାରଣ ଦର୍ଶାଅ ନୋଟିସ୍ ଜାରି କରିଛି । ‘ଇଲାଇଚି’ ପାଇଁ ବିଜ୍ଞାପନ କରିବା ପରୋକ୍ଷରେ ଏକ ନିଷିଦ୍ଧ ପାନ ମସଲା କମ୍ପାନୀ ପାଇଁ ପ୍ରଚାର କରୁଛି ବୋଲି ଅଭିଯୋଗରେ ଦର୍ଶାଯାଇଛି ।ଏଫଡିଏ ଅଗଷ୍ଟ ୧୪ରେ ତିନି ଅଭିନେତାଙ୍କୁ ନୋଟିସ୍ ଜାରି ହୋଇଛି । ବିଜ୍ଞାପନର ଉପସ୍ଥାପନା, ସଂଳାପ, ବ୍ରାଣ୍ଡ ନାମ ଏବଂ ବଜାର ସନ୍ଦର୍ଭ ଏହା ଏକ ନିଷିଦ୍ଧ ତମାଖୁ ଉତ୍ପାଦର ପରୋକ୍ଷ ପ୍ରଚାର ଅଟେ । ଇଲାଇଚି ବିଜ୍ଞାପନଟି ‘ବିମଲ୍’ କମ୍ପାନୀର ଅଟେ । ଯାହା ଏକ ଗୁଟଖା କମ୍ପାନୀ ଅଟେ । ‘ବିମଲ ଇଲାଇଚି’ ପ୍ରକୃତରେ ବଜାରରେ ଉପଲବ୍ଧ ଏକ ସ୍ୱାଧୀନ ଉତ୍ପାଦ ନାଁ ଏହା ପାନ ମସଲା କିମ୍ବା ତମାଖୁ ସମ୍ବନ୍ଧୀୟ ଉତ୍ପାଦର ପ୍ରଚାର ପ୍ରସାର ପାଇଁ ଉଦ୍ଦିଷ୍ଟ ତାହାର ଜବାବ ଦେବାକୁ ଏଫଡିଏ ନୋଟିସରେ ଉଲ୍ଲେଖ କରିଛି । ସେମାନଙ୍କୁ ସେମାନଙ୍କର ଚୁକ୍ତିନାମା, ଅଭିଯାନ ବିବରଣୀ, ଉତ୍ପାଦ ସୂଚନା, ଏବଂ ଦେୟ କିମ୍ବା ଅନୁମୋଦନ ବ୍ୟବସ୍ଥାର କପି ଏବଂ ବିବରଣୀ ପ୍ରଦାନ କରିବାକୁ ନିର୍ଦେଶ ରହିଛି । ତତସହିତ ଏହି ବିଜ୍ଞାପନରେ ଜଡ଼ିତ ବିଜ୍ଞାପନ ସଂସ୍ଥା ଏବଂ ବ୍ରାଣ୍ଡ ମାଲିକଙ୍କ ସମ୍ପର୍କରେ ସୂଚନା ଦେବାକୁ ପଡ଼ିବ। ନୋଟିସ୍ ଗ୍ରହଣ କରିବା ଦିନଠାରୁ ୧୫ ଦିନ ମଧ୍ୟରେ ଲିଖିତ ଜବାବ ଦେବାକୁ କୁହାଯାଇଛି । ସେମାନେ ବ୍ୟକ୍ତିଗତ ଭାବରେ କିମ୍ବା ସେମାନଙ୍କ ଅଧିକୃତ ପ୍ରତିନିଧିଙ୍କ ମାଧ୍ୟମରେ ବ୍ୟକ୍ତିଗତ ଶୁଣାଣି ପାଇଁ ମଧ୍ୟ ଅନୁରୋଧ କରିପାରିବେ । ଯଦି ନିର୍ଦ୍ଧାରିତ ସମୟସୀମା ମଧ୍ୟରେ କୌଣସି ଉତ୍ତର ନ ମିଳେ, କିମ୍ବା ଯଦି ଉତ୍ତର ସନ୍ତୋଷଜନକ ନ ହୁଏ ତେବେ କୌଣସି ଅତିରିକ୍ତ ନୋଟିସ୍ ବିନା ପରବର୍ତ୍ତୀ କାର୍ଯ୍ୟାନୁଷ୍ଠାନ ଆରମ୍ଭ କରାଯାଇପାରେ।













