ବାରିପଦା: ପୋଲିସ ବାବୁ ବିବାହର ପ୍ରତିଶ୍ରୁତି ଦେଇ ଯୁବତୀଙ୍କ ସହ ଶାରୀରିକ ସମ୍ପର୍କ ରଖିବା ପରେ ଧୋକା ଦେଇଥିବା ଅଭିଯୋଗ ହୋଇଛି। ବାରିପଦା ଟାଉନଥାନା କାର୍ଯ୍ୟରତ ସବ-ଇନସପେକ୍ଟର ପ୍ରଭାତ ନାୟକଙ୍କ ନାମରେ ଆସିଛି ଅଭିଯୋଗ। ବିବାହର ମିଥ୍ୟା ପ୍ରତିଶ୍ରୁତି ଦେଇ ଜଣେ ମହିଳାଙ୍କ ସହ ଶାରୀରିକ ସମ୍ପର୍କ ରଖିବା ଏବଂ ପରବର୍ତ୍ତୀ ସମୟରେ ତାଙ୍କୁ ଧମକ ଦେବା ଘଟଣାରେ ବାରିପଦା ଟାଉନ୍ ଥାନାର ଜଣେ ସବ୍-ଇନ୍ସପେକ୍ଟରଙ୍କୁ ଅଟକ ରଖାଯାଇଛି । ମହିଳାଙ୍କ ଅଭିଯୋଗ ଅନୁଯାୟୀ, ସେ ସୋସିଆଲ ମିଡିଆ ପ୍ଲାଟଫର୍ମ ଫେସବୁକ୍ ମାଧ୍ୟମରେ ଏସଆଇ ପ୍ରଭାତ କୁମାର ନାୟକଙ୍କ ସଂସ୍ପର୍ଶରେ ଆସିଥିଲେ। ଏହାପରେ ଏସଆଇ ଜଣକ ତାଙ୍କୁ ବିବାହ କରିବାର ପ୍ରତିଶ୍ରୁତି ଦେଇ ଦୀର୍ଘ ଦିନ ଧରି ତାଙ୍କ ସହ ଶାରୀରିକ ସମ୍ପର୍କ ରଖିଥିଲେ। ଯେତେବେଳେ ମହିଳା ଜଣକ ବିବାହ କରିବାକୁ ଜିଦ୍ ଧରିଥିଲେ, ସେତେବେଳେ ଅଭିଯୁକ୍ତ ଏସଆଇ ତାଙ୍କୁ ମାନସିକ ଏବଂ ଶାରୀରିକ ନିର୍ଯାତନା ଦେବା ଆରମ୍ଭ କରିଥିଲେ। ଏପରିକି ସେ ମହିଳାଙ୍କଠାରୁ ଟଙ୍କା ନେବା ସହ ନିଜ ସର୍ଭିସ୍ ପିସ୍ତଲ ଦେଖାଇ ଜୀବନରୁ ମାରିଦେବାର ଧମକ ଦେଇଥିଲେ ବୋଲି ପୀଡ଼ିତା ନିଜ ଏତଲାରେ ଦର୍ଶାଇଛନ୍ତି। ଅଭିଯୁକ୍ତ ପୋଲିସ ଅଧିକାରୀଙ୍କ ବିରୋଧରେ ମହିଳା ଜଣକ ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି। ଏହି ଘଟଣାକୁ ନେଇ ସଦର ଏସଡିପିଓ ପ୍ରଭାତ କୁମାର ମଲ୍ଲିକ କହିଛନ୍ତି ଯେ, ପୁରୀର ଜଣେ ମହିଳା ଏସଆଇଙ୍କ ବିରୋଧରେ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ଏହି ଅଭିଯୋଗ ଆଧାରରେ ବାରିପଦା ଟାଉନ୍ ଥାନାରେ କେସ୍ ନମ୍ବର ୫୪୨ (ଅଗଷ୍ଟ ୨୨, ୨୦୨୬) ରୁଜୁ କରାଯାଇ ତଦନ୍ତ ଆରମ୍ଭ କରାଯାଇଛି।

LEAVE A REPLY

Please enter your comment!
Please enter your name here