ପୁରୀ: ପୁରୀ ଜିଲ୍ଲା କୁମ୍ଭାରପଡ଼ା ଥାନା ଅଞ୍ଚଳରୁ ସାମ୍ନାକୁ ଆସିଛି ଏକ ଅଭାବନୀୟ ଘଟଣା । ପାରିବାରିକ କଳହକୁ କେନ୍ଦ୍ର କରି ଜଣେ ନିଶାଖୋର ସ୍ବାମୀ ତାଙ୍କ ସ୍ତ୍ରୀ ଉପରେ ପେଟ୍ରୋଲ ଢାଳି ନିଆଁ ଲଗାଇଦେବା ଭଳି ସାଂଘାତିକ ଅଭିଯୋଗ ହୋଇଛି। ଏହି ଘଟଣାରେ ପୋଲିସ ଅଭିଯୁକ୍ତ ସ୍ୱାମୀକୁ ଅଟକ ରଖି ପଚରାଉଚରା କରୁଛି। ସୂଚନା ଥାଉ ଯେ, ବୁଧବାର ରାତି ପ୍ରାୟ ୮ଟା ସମୟରେ ପୁରୀ ଜିଲ୍ଲା କୁମ୍ଭାରପଡ଼ା ଥାନା ଅନ୍ତର୍ଗତ ଡମ୍ ସାହିରେ ଏହି ଘଟଣା ଘଟିଛି। ପୀଡ଼ିତା ମହିଳାଙ୍କ ନାମ ସରୋଜିନୀ ମଲ୍ଲିକ (୩୦ ବର୍ଷ) ବୋଲି ଜଣାପଡିଛି। ଆଗ୍ନିକାଣ୍ଡରେ ସରୋଜିନୀଙ୍କ ଶରୀରର ପ୍ରାୟ ୮୦ ପ୍ରତିଶତ ଅଂଶ ପୋଡ଼ି ଯାଇଛି। ସରୋଜିନୀଙ୍କ ଚିତ୍କାର ଶୁଣି ପଡ଼ୋଶୀମାନେ ଘଟଣାସ୍ଥଳକୁ ଦୌଡ଼ି ଆସିଥିଲେ। ସେତେବେଳକୁ ସେ ସମ୍ପୂର୍ଣ୍ଣ ରୂପେ ନିଆଁରେ ଜଳୁଥିଲେ। ସ୍ଥାନୀୟ ଲୋକେ ତାଙ୍କୁ ତୁରନ୍ତ ଉଦ୍ଧାର କରି ପୁରୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ। ତେବେ ତାଙ୍କ ଅବସ୍ଥା ସଙ୍କଟାପନ୍ନ ହେବାରୁ ଡାକ୍ତରଙ୍କ ପରାମର୍ଶ କ୍ରମେ ଅଧିକ ଚିକିତ୍ସା ପାଇଁ ତାଙ୍କୁ ଆମ୍ବୁଲାନ୍ସ ଯୋଗେ ଭୁବନେଶ୍ୱର ସ୍ଥାନାନ୍ତର କରାଯାଇଛି। ସ୍ଥାନୀୟ ଲୋକଙ୍କ କହିବା ଅନୁସାରେ ରକ୍ଷାବନ୍ଧନ ଅବସରରେ ମିଳିଥିବା ସୁଭଦ୍ରା ଯୋଜନା ଟଙ୍କାକୁ ନେଇ ସ୍ୱାମୀ ମଣ୍ଟି ମଲ୍ଲିକ ଏବଂ ସ୍ତ୍ରୀ ସରୋଜିନୀଙ୍କ ମଧ୍ୟରେ ଝଗଡ଼ା ହୋଇଥିଲା। ଏହି କଳହରୁ ମଣ୍ଟି ତାଙ୍କ ଉପରେ ପେଟ୍ରୋଲ ଢାଳି ନିଆଁ ଲଗାଇ ଦେଇଥିଲେ ।











