ଭୁବନେଶ୍ୱର: ୨୦୨୪-୨୫ ଓ ୨୦୨୫-୨୬ ଆର୍ଥିକ ବର୍ଷ ମଧ୍ୟରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ସରକାରୀ ବାସଭବନ ମରାମତି ଓ ନବୀକରଣ ବାବଦରେ ମୋଟ ୩କୋଟି ୩୧ଲକ୍ଷ ୯ହଜାର ୭୨୭ଟଙ୍କା ଖର୍ଚ୍ଚ ହୋଇଥିବା ଜଣାପଡ଼ିଛି। ସୂଚନା ଅଧିକାର କର୍ମୀ ପ୍ରଦୀପ ପ୍ରଧାନଙ୍କ ପକ୍ଷରୁ ଦାଏର ଆବେଦନର ଉତ୍ତର ଦେଇ ରାଜ୍ୟ ସାଧାରଣ ପ୍ରଶାସନ ବିଭାଗର ଲୋକସମ୍ପର୍କ ଅଧିକାରୀ ତଥା ଅନୁସଚିବ ଜଣାଇଛନ୍ତି ଯେ, ମୁଖ୍ୟମନ୍ତ୍ରୀଙ୍କ ୟୁନିଟ୍-୫ ସ୍ଥିତ ସରକାରୀ କ୍ୱାର୍ଟର୍ସ ନମ୍ବର ଭିଆଇଆଇଆଇଡିଏସ୍-୧ର ମରାମତି, ନବୀକରଣ ତଥା ନିର୍ମାଣ କାର୍ଯ୍ୟ ପାଇଁ ମୋଟ୍ ୨ କୋଟି ୩୨ ଲକ୍ଷ ୫୨ ହଜାର ୮୪୪ ଟଙ୍କା ବ୍ୟୟ କରାଯାଇଛି। ସେହିପରି ୟୁନିଟ୍-୨ସ୍ଥିତ ବି-୧ (ମହାତ୍ମା ଗାନ୍ଧି ମାର୍ଗ) ସରକାରୀ କ୍ୱାର୍ଟର୍ସ ପାଇଁ ସମାନ ଉଦ୍ଦେଶ୍ୟରେ ଆଉ ୯୮ ଲକ୍ଷ ୫୬ ହଜାର ୮୮୩ ଟଙ୍କା ଖର୍ଚ୍ଚ ହୋଇଛି।ତେବେ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀଙ୍କୁ “ଜେଡ୍ ପ୍ଲସ୍’ ସୁରକ୍ଷା ମିଳିଥିବାରୁ ଏହି ଖର୍ଚ୍ଚ ସଂକ୍ରାନ୍ତ ଟେକନିକାଲ ବିବରଣୀ ସାର୍ବଜନୀନ କରାଯାଇ ପାରିବ ନାହିଁ କିମ୍ବା ଏହାର ଇଞ୍ଜିନିୟରିଂ ତଥା ସଂରଚନାଗତ ପ୍ରଶାସନିକ ଅନୁମୋଦନ ଦସ୍ତାବିଜ ଦିଆଯାଇ ପାରିବ ନାହିଁ ବୋଲି ବିଭାଗ ସ୍ପଷ୍ଟ କରିଛି। ସେହିପରି ବାଣିଜ୍ୟ ଓ ପରିବହନ ବିଭାଗ ପକ୍ଷରୁ ଅନ୍ୟ ସୂଚନା କର୍ମୀ ପ୍ରକାଶ ଚନ୍ଦ୍ର ଦାସଙ୍କୁ ଦିଆଯାଇଥିବା ଆରଟିଆଇ ତଥ୍ୟ ଅନୁସାରେ, ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ୨୦୨୪ ଜୁଲାଇରୁ ୨୦୨୫ ଅକ୍ଟୋବର ମାସ ମଧ୍ୟରେ ପ୍ରାୟ ୧୧୯ଥର ବିମାନ ଉଡ଼ାଣ କରିଛନ୍ତି। ରାଜ୍ୟ ସରକାରଙ୍କ ଦ୍ୱାରା ଭଡ଼ାରେ ନିଆଯାଇଥିବା ହେଲିକପ୍ଟରରେ ମୋଟ ୫୪ଥର ଓ ସ୍ୱତନ୍ତ୍ର ବିମାନ ବା ଏୟାରକ୍ରାଫ୍ଟରେ ମୋଟ ୪୩ଥର ଗସ୍ତ କରିଛନ୍ତି। ଏହି ରିପୋର୍ଟ ଉପରେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ କୌଣସି ମତାମତ ଦିଆଯାଇନାହିଁ l









