ଭୁବନେଶ୍ୱର: ଦୀର୍ଘବର୍ଷର ପ୍ରେମ ସମ୍ପର୍କ ପରେ ୨ ବର୍ଷ ତଳେ ଆରମ୍ଭ କରିଥିଲେ ଦାମ୍ପତ୍ୟ ଜୀବନ। ୪ ମାସ ପୂର୍ବେ ଶିଶୁପୁତ୍ରଟି ହୋଇଥିଲା । ଜଣେ ୩୨ ବର୍ଷୀୟ ବ୍ୟକ୍ତି ନିଜର ୨୬ ବର୍ଷୀୟା ପତ୍ନୀଙ୍କୁ ଏକ ‘ତାୱା’ରେ ପିଟି ପିଟି ହତ୍ୟା କରିଥିବା ଅଭିଯୋଗ ହୋଇଛି। ମୃତ ମହିଳାଙ୍କ ପରିଚୟ ବନସ୍ମିତା ସ୍ୱାଇଁ ଭାବେ ଚିହ୍ନଟ କରାଯାଇଛି। ଅଭିଯୁକ୍ତ ସ୍ୱାମୀ ସର୍ବେଶ୍ୱର ପ୍ରଧାନଙ୍କୁ ନୟାପଲ୍ଲୀ ପୋଲିସ ଅଟକ ରଖିଛି। ଘଟଣାସ୍ଥଳର ଶୋଇବା ଘରୁ ରକ୍ତଭିଜା ତାୱାଟିକୁ ପ୍ରମାଣ ସ୍ୱରୂପ ଜବତ କରାଯିବା ସହ ମୃତଦେହକୁ ବ୍ୟବଚ୍ଛେଦ ପାଇଁ କ୍ୟାପିଟାଲ ହସ୍ପିଟାଲକୁ ପଠାଯାଇଛି। ପୋଲିସ ସୂଚନା ଅନୁଯାୟୀ, ଦମ୍ପତିଙ୍କ ମଧ୍ୟରେ କୌଣସି କଥାକୁ ନେଇ ଯୁକ୍ତିତର୍କ ହୋଇଥିଲା ଯାହା ପରେ ଉଗ୍ର ରୂପ ନେଇଥିଲା। ଅଭିଯୁକ୍ତ ଘରର କବାଟ ବନ୍ଦ କରି ପତ୍ନୀଙ୍କ ମୁଣ୍ଡକୁ ବାରମ୍ବାର ତାୱାରେ ଆଘାତ କରିଥିଲେ, ଫଳରେ ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ହୋଇଥିଲା। ମୃତକଙ୍କ ସମ୍ପର୍କୀୟମାନେ ଅଭିଯୋଗ କରିଛନ୍ତି ଯେ ସ୍ୱାମୀଙ୍କ ନିଶା ସେବନକୁ ନେଇ ସେମାନଙ୍କ ମଧ୍ୟରେ ପ୍ରାୟତଃ ବିବାଦ ଲାଗି ରହୁଥିଲା। ବିବାହ ପୂର୍ବରୁ ଓ ପରେ ମଧ୍ୟ ସେ ନିଶା ସେବନରେ ଲିପ୍ତ ଥିଲେ। ପୋଲିସ୍ ବୟାନ ଓ ଫୋରେନସିକ୍ ପ୍ରମାଣ ସଂଗ୍ରହ ଜାରି ରଖିଥିବା ବେଳେ, ଏହି ଘଟଣା ରାଜଧାନୀରେ ଚାଞ୍ଚଲ୍ୟ ଖେଳାଇ ଦେଇଛି।










