ଭୁବନେଶ୍ୱର: ଭୁବନେଶ୍ୱର ଇନ୍ଫୋସିଟି ଥାନା ଅନ୍ତର୍ଗତ ଶିଖରଚଣ୍ଡୀ ଅଞ୍ଚଳରେ ଘଟିଛି ଭୟଙ୍କର ସଡ଼କ ଦୁର୍ଘଟଣା। ଏକ ଦ୍ରୁତଗାମୀ କାର୍ ଏକ ବାଇକ୍କୁ ଜୋରଦାର ଧକ୍କା ଦେବା ସହ ପ୍ରାୟ ୫୦ ମିଟର ପର୍ଯ୍ୟନ୍ତ ଘୋଷାଡ଼ି ନେଇଥିବା ଜଣାପଡ଼ିଛି। ଏହି ଦୁର୍ଘଟଣାରେ ୩ ଜଣ ଗୁରୁତର ଆହତ ହୋଇଥିବାବେଳେ ୨ ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ଥିବା ସୂଚନା ମିଳିଛି। ଅଭିଯୋଗ ଅନୁସାରେ, ମଦ୍ୟପ ଅବସ୍ଥାରେ ଥିବା କାର୍ ଚାଳକ ଦ୍ରୁତ ଗତିରେ ଗାଡ଼ି ଚଳାଉଥିବା ସମୟରେ ବାଇକ୍କୁ ଧକ୍କା ଦେଇଥିଲେ। ଦୁର୍ଘଟଣା ଏତେ ଜୋର୍ଦାର ଥିଲା ଯେ ବାଇକ୍ଟି କାର୍ ତଳେ ଲାଗି ପ୍ରାୟ ୫୦ ମିଟର ଘୋଷାଡ଼ି ହୋଇଯାଇଥିଲା। ଦୁର୍ଘଟଣା ପରେ କାର୍ ଚାଳକ ଘଟଣାସ୍ଥଳରୁ ଖସି ପଳାଇବାକୁ ଉଦ୍ୟମ କରୁଥିବା ବେଳେ ସ୍ଥାନୀୟ ଲୋକେ ତାକୁ ଧରିଥିବା ବେଳେ ଉତ୍ତ୍ୟକ୍ତ ଲୋକେ କାର୍ ଉପରକୁ ପଥର ମାଡ଼ କରିବା ସହ ଗାଡ଼ିଟିକୁ ଭଙ୍ଗାରୁଜା କରିଥିଲେ। ଖବର ପାଇ ଇନ୍ଫୋସିଟି ଥାନା ପୋଲିସ ସମେତ ନିକଟସ୍ଥ ଥାନାର ପୋଲିସ ଅଧିକାରୀ ଏବଂ ଆଇଆଇସି ଘଟଣାସ୍ଥଳରେ ପହଞ୍ଚିଥିଲେ। ଉତ୍ତ୍ୟକ୍ତ ଲୋକଙ୍କ କବଳରୁ ଚାଳକଙ୍କୁ ଉଦ୍ଧାର କରି ପୋଲିସ ଥାନାକୁ ନେଇଥିଲା। ଚାଳକଙ୍କୁ ଅଟକ ରଖାଯାଇ ପଚରାଉଚରା କରାଯାଇଛି । ଦୁର୍ଘଟଣାରେ ଆହତ ୩ ଜଣଙ୍କ ଚିକିତ୍ସା ଚାଲିଥିବାବେଳେ ୨ ଜଣଙ୍କ ସ୍ୱାସ୍ଥ୍ୟାବସ୍ଥା ଗୁରୁତର ଥିବା ଖବର ମିଳିଛି।













