ଭୁବନେଶ୍ୱର: ନୟାପଲ୍ଲୀ ଥାନା ବେହେରା ସାହିରେ ଜଣେ ଯୁବତୀଙ୍କୁ ବନ୍ଧୁକ ମୁନରେ ଦୁଷ୍କର୍ମ କରିବା ଘଟଣାରେ କମିଶନରେଟ୍ ପୋଲିସ କଠୋର ପଦକ୍ଷେପ ଗ୍ରହଣ କରିଛି। ପୋଲିସ ଶନିବାର ଅଭିଯୁକ୍ତ ଶ୍ରୀଧର ପଣ୍ଡାକୁ ଚନ୍ଦକା ଅଞ୍ଚଳରେ ଠାବ କରିବା ପରେ ସେ ଖସିଯିବା ପାଇଁ ପୋଲିସ ଉପରକୁ ଦୁଇ ରାଉଣ୍ଡ ଗୁଳି ଚଳାଇଥିଲା। ପୋଲିସ ନିଜ ଆତ୍ମରକ୍ଷା ପାଇଁ ପାଲଟା ଗୁଳିଚାଳନା କରିଥିଲା । ଗୁଳିମାଡ଼ରେ ଆହତ ଶ୍ରୀଧରକୁ ଚିକିତ୍ସା ପାଇଁ କ୍ୟାପିଟାଲ୍ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଭୁବନେଶ୍ୱର ପୋଲିସ ସୁପରିନ୍ଟେଣ୍ଡେଣ୍ଟ (ଡିସିପି) ସର୍ବଣା ବିବେକ୍ ଏମ୍. ଦେଇଥିବା ସୂଚନା ଅନୁଯାୟୀ, ଅଭିଯୁକ୍ତ ଶ୍ରୀଧର ଗୋଡ଼ରେ ୨ଟି ଗୁଳି ବାଜିଛି। ସେ ଚିକିତ୍ସା ପରେ ସୁସ୍ଥ ହେବା ମାତ୍ରେ ନୟାପଲ୍ଲୀ ଥାନା ପୋଲିସ ପକ୍ଷରୁ ତାକୁ ଗିରଫ କରାଯିବ। ପୁଲିସ କମିଶନର କହିଛନ୍ତି ଯେ, ଏକ ପିସ୍ତଲ ସଦୃଶ ଲାଇଟର ନେଇ ଅଭିଯୁକ୍ତ ଉକ୍ତ ଯୁବତୀଙ୍କ ଘରେ ପଶିଥିଲା । ଯୁବତୀ ଜଣଙ୍କ ଏହାକୁ ପିସ୍ତଲ ଭାବି ପୂରା ଡରିଯାଇଥିଲେ। ଅଭିଯୁକ୍ତର ଦୁଷ୍କର୍ମ ଉଦ୍ଦେଶ୍ୟ ନଥିଲା। କିନ୍ତୁ ଘରେ କେହି ନ ଥିବା ଦେଖି ସେ ଏପରି କରିଛି । ଦୁଷ୍କର୍ମ ହୋଇଛି ନା ନାହିଁ ତାହାର ବି ତଦନ୍ତ ଚାଲିଛି। ସିପି କହିଛନ୍ତି, ଲୁଟ୍ ପରେ ପ୍ରଥମେ ଅଭିଯୁକ୍ତ ‘ ଆମ ବସ୍’ରେ ନୟାପଲ୍ଲୀରୁ ସିଆରପି ଯାଇଥିଲା । ସିଆରପିରୁ ଅଟୋ ଧରି ଭରତପୁର ଯାଇଥିଲା । ଭରତପୁରରେ ଏକ ନୂଆ ବାଇକ୍ ଚୋରି କରି ଫେରାର ହୋଇଯାଇଥିଲା । କ୍ରୁଟ୍ ପକ୍ଷରୁ ମିଳିଥିବା ସିସିଟିଭିକୁ ଆଧାରରେ ଅଭିଯୁକ୍ତ ଚିହ୍ନଟ କରିଛୁ । ଅଭିଯୁକ୍ତ ଭୁବନେଶ୍ୱରର ଚକେଇସିହାଣୀରେ ରୁହନ୍ତି । ତା ଘର ଗଞ୍ଜାମ ଜିଲ୍ଲାର ଜଗନ୍ନାଥପ୍ରସାଦ । ତା ନାଁରେ ପୂର୍ବରୁ ମୋବାଇଲ୍ ଚୋରି ମାମଲା ରହିଛି ।












